ଭୁବନେଶ୍ୱର, ଗତକାଲି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶତାବ୍ଦୀ ନଗର, ଲେନ ନଂ – ୭ ମଧ୍ୟରେ ଏକ ଖୋଲା ଡ୍ରେନରେ ଜଣେ ୧୫ ବର୍ଷୀୟ ବାଳକ ଭାସିଯିବା ଓ ଆଜି ତାର ମୃତଦେହ ମିଳିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଇଛନ୍ତି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ କହିଛନ୍ତି ଭୁବନେଶ୍ୱରକୁ ଗତ ୫-୬ ବର୍ଷ ହେବ ସ୍ମାର୍ଟ ସିଟି ଘୋଷଣା କରାଯାଇଛି । ଏଥିପାଇଁ ଭୁବନେଶ୍ୱର ସହର ପୁରସ୍କୃତ ମଧ୍ୟ ହୋଇଛି । କିନ୍ତୁ ଏଠି ସ୍ମାର୍ଟସିଟି ନାଁରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । ଛୋଟ ପିଲା କି ଲୋକ ପାଣି ସ୍ରୋତରେ ଡ୍ରେନରେ ଭାସିଯାଇ ପ୍ରାଣ ହରାଇବା କିଛି ନୂଆ ଘଟଣା ନୁହେଁ । ଏଥିପୂର୍ବରୁ ଗତ ୬ବର୍ଷ ଭିତରେ ସମାନ ପ୍ରକାର ବହୁ ଘଟଣା ଘଟିସାରିଛି । କିନ୍ତୁ ସର୍ବୋପରି ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ଚୁପ ବସିଛି । ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅସମ୍ପୂର୍ଣ୍ଣ ଓ ଖୋଲା ଡ୍ରେନର ତୁରନ୍ତ ମରାମତି ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି । ସେହିପରି ବରିଷ୍ଠ ଆଇନଜିବୀ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ ଡିସିପିଙ୍କ ସହ ଆଲୋଚନା ବେଳେ କହିଥିଲେ ସ୍ମାର୍ଟସିଟି ନର୍ମ ଅନୁଯାୟୀ ସମସ୍ତ ଡ୍ରେନ କଭର ହେବା ଦରକାର କିନ୍ତୁ ଭୁବନେଶ୍ୱର ସହରରେ ୫୦% ରୁ ଅଧିକ ଡ୍ରେନ ଖୋଲା ପଡ଼ିଛି ଓ କିଛି ଅସପୂର୍ଣ୍ଣ ହୋଇ ରହିଛି । ପୋଲିସ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।
ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ସଂପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ଶ୍ରୀମତୀ ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଆଫତାବ ଅଲ୍ଳୀ, ସଂଜୀବ ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, କୁସୁମ ପ୍ରଧାନ, ଶୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।