ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚୟତ ଗୋବିନ୍ଦପୁର ଗ୍ରାମର ଜଣେ ଏଗାର ବର୍ଷୀୟ ନାବାଳକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ନାବାଳକ ଜଣକ ଗୋବିନ୍ଦପୁର ନିଵାସୀ ଚିନ୍ତାମଣି ମାଝୀଙ୍କ ପୁଅ କିଶନ ମାଝୀ(୧୧) ବୋଲି ସୂଚନା ମିଳିଛି। ପ୍ରାପ୍ତ ଖବର ଅନୁସାରେ ରାତିରେ କିଶନ ମାଝୀ ନିଜଘର ଚଟାଣରେ ଶୋଇଥିବା ବେଳେ ଭୋର ସକାଳ ୪ ଟାରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ସକାଳୁ ତାଙ୍କୁ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଯେ ମୃତକ ନାବାଳକର ବାପା ଜଣେ ଗରିବ ଦିନ ମଜୁରିଆ ହୋଇଥିବା ବେଳେ ବର୍ତମାନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷେ ଘରେ ସ୍ତ୍ରୀ ସହ ଦୁଇ ଶିଶୁ ପୁଅଝିଅ ଥିବା ଜଣାପଡିଛି। ପୁଅର ମୃତ୍ୟୁରେ ପରିବାର ଲୋକେ ଅସହାୟ ହୋଇ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।