କନ୍ଧମାଳ – ଆଲୋକର ପର୍ବ ଦିପାବଳୀ ସମଗ୍ର କନ୍ଧମାଳରେ ଧୁମଧାମରେ କୌଣସି ଅଘଟଣ ନଘଟି ପାଳିତ ହୋଇଯାଇଛି । ଏହି ପର୍ବକୁ ସମଗ୍ର ଜିଲାବାସୀ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିବାବେଳେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ଏହି ପର୍ବକୁ । ଜିଲାପାଳ ଏହି ପର୍ବକୁ ଫୁଲବାଣୀ ଗୋପବନ୍ଧୁ ବାଳାଶ୍ରମର ପିଲାମାନଙ୍କ ଗହଣରେ ପାଳନ କରିଥିଲେ । ଜିଲାପାଳ ସେଠାରେ ପହଂଚି ଅନ୍ତେବାସୀ ଅନାଥ ପିଲାଙ୍କ ଗହଣରେ ନାଚଗୀତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କୁ ଏକ ପାରିବାରିକ ପରିବେଶର ଆନନ୍ଦ ପ୍ରଦାନ କରିବା ସହିତ ସେମାନଙ୍କ ଗହଣରେ ବାଣ ଫୁଟାଇଥିଲେ ।
ସେହିପରି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସପି) ପ୍ରତୀକ ସିଂ ପ୍ରଥମେ ଗୋପବନ୍ଧୁ ବାଳାଶ୍ରମର ଛାତ୍ରଛାତ୍ରୀ ମାନଙ୍କ ସହିତ ଏବଂ ପରେ ମାଦିକୁନ୍ଦା ପୋଲିସ ପଡିଆରେ ଏସଓଜି, ଡିଭିଏଫ ତଥା ପୋଲିସ ଜବାନ ମାନଙ୍କ ସହିତ ଦିପାବଳୀ ପର୍ବ ପାଳନ କରିବାସହିତ ଫୁଲବାଣୀ ସହରରେ ଟ୍ରାଫିକ ଛକମାନଙ୍କରେ କାର୍ଯ୍ୟରତ ଟ୍ରାଫିକପୋଲିସ ମାନଙ୍କ ସହିତ ମଧ୍ୟ ଦିପାବଳୀ ପର୍ବ ପାଳନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଜିଲାରେ ଏହି ପର୍ବ ପାଳନ ବେଳେ ପୋଲିସ ଏବଂ ଅଗ୍ନିଶମ ବିଭାଗ ତରଫରୁ ସମସ୍ତ ପ୍ରକାରର ଅଘଟଣକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରାଯାଇଥିଲା ।