ସମ୍ବଲପୁର – କୁଲତା ସମାଜ, ସମ୍ବଲପୁର ପକ୍ଷରୁ କ୍ରପ କଟିଙ୍ଗ ରିପୋର୍ଟ ଆଧାରରେ ଚାଷୀ ଅଧିକାର ଫସଲ ବୀମା ବକେୟା ଅର୍ଥ ରାଶି ଶୀଘ୍ର ପ୍ରଦାନ ଦାବି ନେଇ ସମ୍ବଲପୁର ଜ଼ିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଚାଲିଥିବା 24 ଘଣ୍ଟିଆ ରିଲେ ଅନଶନକୁ ସମର୍ଥନ ନେଇ ରବିବାର ଏକ ରାଲିର ଆୟୋଜନ ହୋଇଥିଲା l
ରବିବାର କୃଷକ ମାନଙ୍କ ଅନଶନ ଷଷ୍ଠ ଦିନରେ ପହଂଚି ଥିବା ବେଳେ କୁଲତା ସମାଜ, ସମ୍ବଲପୁରର ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତି ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ମ୍ୟୁନିସିପାଲିଟି ଛକରୁ ଅନଶନ ସ୍ଥଳୀ ( କଚେରୀ ରୋଡ଼) ପର୍ଯ୍ୟନ୍ତ ଏହି ରାଲି ପହଂଚି ଅନଶନରତ କୃଷକ ମାନଙ୍କୁ କୁଲତା ସମାଜ ପକ୍ଷରୁ ସମର୍ଥନ ଜ୍ଞାପନ କରାଯାଇଥିଲା l ପଶ୍ଚିମ ଓଡିଶା କୃଷକ ସୁରକ୍ଷା ସଂଗଠନର ଆବାହକ ତଥା ଚାଷୀନେତା ଶ୍ରୀ ଅଶୋକ ପ୍ରଧାନଙ୍କ ସଭାପତିତ୍ୱରେ ଅନଶନ ସ୍ଥଳୀରେ ଅନୁଷ୍ଠିତ ସଭାରେ କୁଲତା ସମାଜ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତି ନାୟକ ଉଦବୋଧନ ଦେଇ ସରକାରଙ୍କ ଚାଷୀ ମାରଣ ନୀତିକୁ ଦୃଢ଼ ସମାଲୋଚନା କରିବା ସହ ଶୀଘ୍ର ଚାଷୀ ମାନଙ୍କୁ ବକେୟା ବୀମା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ l ସମ୍ବଲପୁର ଜ଼ିଲ୍ଲା ପରିଷଦ ସଭାପତି ଶ୍ରୀ ରାଧେଶ୍ୟାମ ବାରିକ କୁଲତା ସମାଜ ସମ୍ପୂର୍ଣ ଭାବେ ଚାଷ କାର୍ଯ୍ୟରେ ନିର୍ଭରଶିଳ ହୋଇ ଚାଷକୁ ଆଦରି କାର୍ଯ୍ୟ କରୁଥିବାବେଳେ ସରକାର ବକେୟା ବୀମା ରାଶି ପ୍ରଦାନ ଦାବିକୁ ଦଳ ମତ ନିର୍ବିଶେଷରେ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ l ବରିଷ୍ଠ ଚାଷୀ ନେତା ଶ୍ରୀ ରାମସାଗର ସାହୁ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିବା ସହ ଦରକାର ହେଲେ ଆମେ ଭୁବନେଶ୍ୱର ସଚିବାଳୟ ସମ୍ବୁଖରେ ଆନ୍ଦୋଳନ କରିବାକୁ ହେବ ବୋଲି ପ୍ରକାଶ କରିଥିଲେ l କେନ୍ଦ୍ର ସରକାର ଅଳ୍ପ କେଇ ଜଣ ଶିଳ୍ପପତିଙ୍କ 6 ଲକ୍ଷ କୋଟି ଟଙ୍କା ଋଣ ମାଫ କରିପାରୁ ଥିବା ବେଳେ ଚାଷୀ ମାନଙ୍କୁ ବୀମା ରାଶି ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ଶ୍ରୀ ସରୋଜ ସାହୁ ଦୃଢ଼ ଭାବେ ନିନ୍ଦା କରିବା ସହ ଶୀଘ୍ର ସ୍ୱାମୀ ନାଥନ କମିଟି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ଘରୋଇକରଣ ବନ୍ଦ କରିବା ନିମନ୍ତେ ଦାବି କରିଥିଲେ l
ଏହି ଅବସରରେ କୁଲତା ସମାଜ ସମ୍ବଲପୁରର ହାରାଧନ ପ୍ରଧାନ, ଚିତ୍ରସେନ ସାହୁ, ଜଟା ଭୂଷଣ ସାହୁ, ଲମ୍ବୋଦର ସାହୁ, ଭକ୍ତବନ୍ଧୁ ପ୍ରଧାନ, ଲଷ୍ମଣ ପ୍ରଧାନ, ଅଭିରାମ ଖମାରି, ସରୋଜ ପ୍ରଧାନ, ଶରତ ପ୍ରଧାନ, ଶ୍ରୀମତୀ ବାସନ୍ତୀ ବିଶ୍ୱାଳ, ସୁଶ୍ରୀ ସୁପ୍ରଭା ପ୍ରଧାନ, ଦେବୀ ପ୍ରସାଦ ଭୋଇ, ରଞ୍ଜନ ପାତ୍ର, ଭବାନୀ ଶଙ୍କର ପ୍ରଧାନ, ଅକ୍ଷୟ ପ୍ରଧାନ, ପ୍ରେମାନନ୍ଦ ସାହୁ, ଦେବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଚାଷୀ ନେତା ଦେବେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l