ସମ୍ବଲପୁର – ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟ୍ ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୮୦ ରୁ ଉଦ୍ଧ୍ୱର୍ ଦୋକାନ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପନିପରିବା ଏବଂ ଦୋକାନର ଅନ୍ୟାନ୍ୟ ଆସବାବପତ୍ର ଜଳିପଡି ଛାରଖାର୍ ହୋଇଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ଦୀପାବଳୀ ଥିବାରୁ କେହି ଦୋକାନୀ ହୁଏତ ଦୋକାନରେ ଦୀପ ଲଗାଇ ଘରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏପରିକି କେହି ନିଆଁ ଲଗାଇ ଦେଇଥିବା କ୍ଷତିଗ୍ରସ୍ତ ଦୋକାନୀ ମାନେ ଅଭିଯୋଗ କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଅନ୍ୟପକ୍ଷରେ କେହି ଜାଣି ଶୁଣି ଅଥବା ମନ୍ଦ ଉଦ୍ଦେଶ୍ୟ ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।
ଉପଜିଲ୍ଲାପାଳ କହିଛନ୍ତି ଯେ, ଘଟଣାର ତଦନ୍ତ ପ୍ରକ୍ରିୟା ଜାରୀ ରହିଛି । ତଦନ୍ତ ରିପୋର୍ଟ ଆସିବା ପରେ କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତା’ର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ପ୍ରକାଶ ଥାଉକି, ଗତ ରାତିର ଅଗ୍ନିକାଣ୍ଡ ଘଟଣାକୁ ମିଶାଇ ଗୋଲବଜାର ପରିବା ମାର୍କେଟ୍ ରେ ୪ ଥର ନିଆଁ ଲାଗି ସାରିଲାଣି । ତେଣୁ ଅନ୍ୟ ସ୍ଥାନକୁ ଏହି ପରିବା ମାର୍କେଟ୍ କୁ ସ୍ଥାନାନ୍ତର କରିବାକୁ ଦୋକାନୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।