
ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ସହର ନିଵାସୀ ସହଦେଵ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା) ଉକିଆରାଣୀ ନେତାମ ( ୫୬)ଙ୍କ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାରୁ ପ୍ରକାଶ ଯେ ରିତାରାଣୀ ବାଗ ନିଜ ମାମୁଁ ଘର ମହାସମୁନ୍ଦକୁ ଯାଇଥିବା ବେଳେ ଗାଧୋଇ ଘର ଅଗଣାରେ ଥିବା ଏକ ତାରରେ କପଡା ଶୁଖାଇବାକୁ ଯାଇ ତାରକୁ ହାତରେ ଧରି ଦେଇଥିଲେ। କୌଣସି କାରଣରୁ ତାର ରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା। ତାହା କେହି ଜାଣିପାରି ନ ଥିଲେ। ସେଥିରେ ସେ ଲାଗିଯାଇ ଆଘାତ ପାଇ ଗୁରୁତର ହୋଇ ଯାଇଥିଲେ। ତାରରେ ଲାଗି ଗୁରୁତର ଅବସ୍ଥାରେ ଥିବା ନାତୁଣୀଙ୍କୁ ଉଦ୍ଧାର କରିବା ପାଇଁ ଆଇ ମା (ନାନୀମା) ମଧ୍ୟ ଯାଇ ସେଥିରେ ଲାଗି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ଆଇ ନାତୁଣୀଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ନିଜ ପୈତୃକ ଗ୍ରାମ ସିନାପାଲିକୁ ରିତାରାଣୀଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରାଯାଇଥିଲା। ରିତରାଣୀଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।