
ମାଲକାନଗିରି,ସୁବିଧାରେ ଯାତାୟାତ କରିବା ପାଇଁ ତିଆରି ହେଇଥାଏ ରାସ୍ତା । ମାତ୍ର ଏମିତି ମଧ୍ୟ ଅନେକ ଗ୍ରାମ ଅଛି ଯେଉଁଠି ଯିବାପାଇଁ ଭଲ ରାସ୍ତା ନାହିଁ । ବର୍ଷାରେ କାଦୁଅ ପଚପଚ ରାସ୍ତା, ବଡ଼ ବଡ଼ ଖାଲ ଢିପ, ହେଲେ ଏହି ରାସ୍ତା ହିଁ ଗମନାଗମନ ପାଇଁ ସାହାରା । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି -୪୪ ଗ୍ରାମରେ । ଭୁବନପାଲ୍ଲୀ ପଞ୍ଚାୟତ ଠାରୁ ପ୍ରାୟ ୫00 ମିଟର ଦୂରରେ ରହିଛି ଏହି ଗ୍ରାମ । ଏହି ରାସ୍ତା ଦେଇ ପ୍ରାୟ ୫ ଖଣ୍ଡ ଗ୍ରାମର ଲୋକମାନେ ଚାଉଳ, କିରୋସିନ ଓ ଭତ୍ତା ଟଙ୍କା ନେବାକୁ ପଞ୍ଚାୟତକୁ ଯାଇଥାନ୍ତି । ହେଲେ ଏତେ ଦୟନୀୟ ଅବସ୍ଥାରେ ରାସ୍ତା ଥିବାରୁ ଯିବା ଆସିବା କ୍ଷେତ୍ରରେ ବହୁ ଅସୁବିଧା ଦେଖାଦିଏ । ବିଦ୍ୟାଳୟ, ଅଙ୍ଗନୱାଡି ହେଉ କି ଅବା କଲେଜ୍ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବାଟ ଦେଇ ଯିବାକୁ ପଡେ । ଆଉ ବର୍ଷା ହେଲେ ପାଠ ପଢାରେ ହୁଏ ଅସୁବିଧା । ଗାଁରେ ଭଲ ରାସ୍ତାଟିଏ ପାଇଁ ଅନେକ ଥର ପ୍ରଶାସନ ଆଗରେ ଗୁହାରି କରିଥିଲେ ବି କିଛି ସୁଫଳ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଗ୍ରାମବାସୀଙ୍କ ଗୁହାରି ନଶୁଣିବାରୁ ଶେଷରେ ହାତରେ କୋଡି, କୋଦାଳ ଧରି ଗ୍ରାମବାସୀ ଏକତ୍ରିତ ହୋଇ ମାଟି ହାଣି ନେଇ ରାସ୍ତାରେ ପକାଇ ରାସ୍ତାକୁ ସମତୁଲ କରିଥିଲେ । ଏଠି ଗ୍ରାମବାସୀ ମିଳିତ ଭାବେ ନିର୍ମାଣ କରିଛନ୍ତି ଗାଁ ରାସ୍ତା। ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି କିଛି ଫଳ ନମିଳିବାରୁ ଏପରି ଉଦ୍ୟମ ଆରମ୍ଭ କରିଥିବା କହିଛନ୍ତି ଗ୍ରାମବାସୀ ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ଯୋଗାଇ ଦେବାକୁ କୁହାଯାଇଥିବା ବେଳେ, ଏମପିଭି- ୪୪ ଗାଁରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବାରମ୍ବାର ଗୁହାରି କରିବା ପରେ ପ୍ରଶାସନ ନ ଶୁଣିବାରୁ ଏବେ ନିଜ ଗାଁ ରାସ୍ତା ନିଜେ ମରାମତି କରିଛନ୍ତି ଗ୍ରାମବାସୀ । ଏ ବାବଦରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇଙ୍କୁ ପଚାରିବାରୁ ଯଥାଶୀଘ୍ର ଏହାର ତଦାରଖ କରି ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ ।