ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କର ଦ୍ୱାରା ଏକ ମିଳିତ ସର୍ଭେ ରିପୋର୍ଟ ଭାରତ ବର୍ଷର ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ମୁତାବକ ଭାରତ ବର୍ଷର ସବୁଠାରୁ ୫୦ ଟି ଅତ୍ୟନ୍ତ ପଛୁଆ ଜିଲ୍ଲା ମଧ୍ୟରୁ ଓଡ଼ିଶାର ୮ଟି ଜିଲ୍ଲା ଦେଶର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପ୍ରକାଶ ପାଇଛି । ଏହି ୮ ଟି ପଛୁଆ ଜିଲ୍ଲା ଯଥାକ୍ରମରେ ମାଲ୍କାନାଗିରି, ବୌଦ୍ଧ, କଳାହାଣ୍ଡି, ମୟୁରଭଞ୍ଜ, ନୂଆପଡା, ଗଜପତି, ନବରଙ୍ଗପୁର ଓ କନ୍ଧମାଳ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଲେ ଯେ, ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୨୨.୮୫ ପ୍ରତିଶତ କେବଳ ଆଦିବାସୀବର୍ଗର ଲୋକ ଅଟନ୍ତି ଏବଂ ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ସମୁଦାୟ ଆଦିବାସୀ ଜନସଂଖ୍ୟା ୯୫ ଲକ୍ଷ, ୯୦ ହଜାର ୭୫୬ ଜଣ କିନ୍ତୁ ୨୦୨୧ ମସିହା ସୁଧା ଏହା ପାଖାପାଖି ୧ କୋଟି ୮ ଲକ୍ଷ ରୁ ଅଧିକ ଜନସଂଖ୍ୟା ହେବାକୁ ବସିଲେଣି । ଓଡ଼ିଶାର ସମୁଦାୟ ଆଦିବାସୀ ଜନସଂଖ୍ୟା ଭାରତ ବର୍ଷର ଆଦିବାସୀ ଜନସଂଖ୍ୟା ଅନୁପାତରେ ଏହା ୯.୧୭ ପ୍ରତିଶତ ଅଟେ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ୨୦୦୦ମସିହାରେ ରାଜ୍ୟରେ କଂଗ୍ରେସ ସରକାର ଗଲାବେଳକୁ ଓଡ଼ିଶାର ଆଦିବାସୀ ଜିଲ୍ଲାମାନଙ୍କର ବିକାଶ ସୁଚକାଙ୍କ ଓଡ଼ିଶାର ପଡ଼ୋଶି ରାଜ୍ୟ ବିହାର, ଝାରଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ଠାରୁ ବହୁ ଭଲ ଥିଲା ।
କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତୀ ୧ ନମ୍ବର ହୋଇଥିଲାବେଳେ କାହିଁକି ଓ କିଭଳି ଭାବରେ ଓଡ଼ିଶାର ୮ଟି ଆଦିବାସୀ ଜିଲ୍ଲା ଭାରତ ବର୍ଷର ସବୁଠାରୁ ପଛୁଆ ଜିଲ୍ଲା ବୋଲି ପରିଗଣିତ ହେଉଛନ୍ତି? ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ତାଙ୍କର ପରିବାର କହୁଥିଲାବେଳେ ଏହି ୮ଟି ଆଦିବାସୀ ଜିଲ୍ଲାର ଆଦିବାସୀ ଭାଇ ଭଉଣୀମାନେ ତାଙ୍କର ପରିବାର କି? ସାମଗ୍ରୀକ ମାନବ ବିକାଶ ସୂଚକାଙ୍କ ତଥ୍ୟ ଅନୁସାରେ ଏହି ସବୁ ଜିଲ୍ଲାମାନଙ୍କର ଅତି ବିକଟାଳ ଚିତ୍ର ଦୀର୍ଘ ୨୧ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥା ପରେ ମଧ୍ୟ ଦେଖିବାକୁ ମିଳୁଛି । ନୁଆପଡ଼ା ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲା (୫୮୮ ର୍ୟାଙ୍କ) । ତା ପଛକୁ ନବରଙ୍ଗପୁର(୫୭୫ ର୍ୟାଙ୍କ), ବୌଦ୍ଧ (୫୭୪ ର୍ୟାଙ୍କ), ମୟୁରଭଞ୍ଜ (୫୬୪ ର୍ୟାଙ୍କ), ଗଜପତି (୫୫୨ ର୍ୟାଙ୍କ), କନ୍ଧମାଳ(୫୫୧ ର୍ୟାଙ୍କ), କଳାହାଣ୍ଡି (୫୪୮ ର୍ୟାଙ୍କ) ଜିଲ୍ଲା ରହିଛି । ଦାରିଦ୍ର୍ୟ କ୍ଷେତ୍ରରେ ବୌଦ୍ଧ ସବୁଠାରୁ ଅତ୍ୟନ୍ତ ଦରିଦ୍ର ଆଦିବାସୀ ଜିଲ୍ଲା ଏବଂ ମାଲକାନାଗିରି, ମୟୁରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାମାନେ ମଧ୍ୟ କ୍ରମାନୟରେ ଦରିଦ୍ର ଆଦିବାସୀ ବହୁଳ ଜିଲ୍ଲା ବୋଲି ସ୍ଥାନ ପାଇଛନ୍ତି । ଶିକ୍ଷା କ୍ଷେତ୍ରରେ ନୂଆପଡ଼ା ସବୁଠାରୁ ପଛୁଆ ଆଦିବାସୀ ଜିଲ୍ଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ବୌଦ୍ଧ ଓ ଗଜପତି ଜିଲ୍ଲା ସବୁଠାରୁ ପଛୁଆ ଜିଲ୍ଲା । ଓଡ଼ିଶାର କୌଣସି ଏକ ଜିଲ୍ଲା ଭାରତ ବର୍ଷର ସବୁଠାରୁ ୧୦୦ ବିକଶିତ ଜିଲ୍ଲା ଭିତରେ ସ୍ଥାନ ପାଇନାହାନ୍ତି । ମୁଖ୍ୟମନ୍ତ୍ରୀ କିଭଳି ୧ ନମ୍ବର । ଯଦି ରାଜ୍ୟର ସ୍ଥିତି ଏତେ ଦୟନିୟ । ତାହାଲେ ମୁଖ୍ୟମନ୍ତ୍ରୀ କେଉଁଭଳି ଭାବରେ କେଉଁ ଚୟନ ପ୍ରକ୍ରିୟାରେ ୧ ନମ୍ବର ହେଲା ଏହା ସନ୍ଦେହ ସୃଷ୍ଟି କରୁଛି । ଏହି ୮ ଟି ଆଦିବାସୀ ବହୁଳ ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ଭିତରେ ପାଖାପାଖି ୬୨.୪ ପ୍ରତିଶତ ପିଲା ବିଦ୍ୟାଳୟ ପାଠପଢ଼ା ଛାଡ଼ୁଛନ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ମାତ୍ର ୧୫ ପ୍ରତିଶତ ପାଠ ପଢ଼ୁଛନ୍ତି । ରାଜ୍ୟରେ ଆଜିମଧ୍ୟ ଏହି ୮ଟି ଆଦିବାସୀ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ୪୦ ପ୍ରତିଶତ ଯାହାକି ଏହା ଭାରତ ବର୍ଷର ସବୁଠାରୁ ଅଧିକ । ଠିକ୍ ସେହିଭଳି ଭାବରେ ମାତୃ ମୃତ୍ୟୁହାର ୨୩୭ ଜଣ ଅଛି । ୬ ମାସରୁ ୫୯ ମାସ ଭିତରେ ପାଖାପାଖି ୪୪.୬ ପ୍ରତିଶତ ପିଲାମାନେ ରକ୍ତହିନତାରେ ଶିକାର ହେଉଛନ୍ତି । ଅପପୃଷ୍ଟି ହାର ମଧ୍ୟ ଏହି ୮ଟି ଆଦିବାସୀ ବହୁଳ ଜିଲ୍ଲାରେ ଏହା ସର୍ବାଧିକ । ସବୁଠାରୁ ବଡ଼ ଦୁଃଖର କଥା ହେଲା ଏହି ଆଦିବାସୀ ମାନଙ୍କ ଦ୍ୱାରା ରାଜ୍ୟର ଅର୍ଥନିତୀ ଓ ସାମାଜିକ ସଂପଦ ବିକାଶ ଓ ସୃଷ୍ଟି ହୋଇଥାଏ । କିନ୍ତୁ ଏମାନେ ସବୁଠାରୁ ପଛରେ କେମିତି । ଏହି ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ପ୍ରବକ୍ତା ମନୋରଞ୍ଜନ ଦାସ ଓ ପ୍ରବକ୍ତା ଶ୍ରୀ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ ।