-
ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ଏସସିବି ମେଡ଼ିକାଲ କର୍ତୃପକ୍ଷ
କଟକ, କୁଜଙ୍ଗର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କଟକ ଏସସିବି ମେଡ଼ିକାଲ କର୍ତୃପକ୍ଷ । ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ରାତିରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା କହିଥିଲେ ଏସସିବି କର୍ତୃପକ୍ଷ । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଗତକାଲି ଏନେଇ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ତୃଟୀପୂର୍ଣ୍ଣ ଅପରେସନ ନେଇ ଯେଉଁ ଅଭିଯୋଗ ଆସୁଛି, ଆମେ ତାକୁ ଖଣ୍ଡନ କରୁଛୁ । ଦୁଷ୍ମନ୍ତଙ୍କୁ ଏକ ଡ଼ାକ୍ତରୀ ଟିମ୍ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ତାଙ୍କ ଗୋଡ଼ରେ ଲାଗିଥିବା ଆଘାତ ଭଲ ହେବାକୁ ଦୀର୍ଘ ସମୟ ଲାଗିଥାନ୍ତା । ସେ ଅଧୈର୍ଯ୍ୟ ହୋଇ ଏମ୍ସ ଯିବାକୁ ଚାହିଁବାରୁ ତାଙ୍କୁ ଏମ୍ସ ରେଫର୍ କରାଯାଇଥିଲା । ହେଲେ ଗତ ୮ ତାରିଖରେ ସେ ଗୁରୁତର ଅବସ୍ଥାରେ ଏଠାକୁ ଆସିଥିଲେ, ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଇ ପାରିନଥିଲୁ । ଅନ୍ୟପକ୍ଷରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ପାଇଁ ଅଧିକ୍ଷକ ଏକ ଟିମ୍ ଗଠନ କରିବେ ବୋଲି ସେ କହିଥିଲେ ।ଅପରପକ୍ଷରେ ରାତି ଅଧିଆ କାହିଁକି ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା ପ୍ରଶ୍ନର ଉତରରେ ଭୁବନାନନ୍ଦ କହିଥିଲେ ଯେ, ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ରାତିରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେଣୁ ଏହା ପଛରେ କ’ଣ କାରଣ ରହିଛି ତାହା ଜିଲ୍ଲା ପ୍ରଶାସନ କହିପାରିବ ।