ରାଇରଙ୍ଗପୁର, ଅଖିଳ ଭାରତୀୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଆରକ୍ଷଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପଦେଷ୍ଟା ମୋଚିରାମ ମାଝୀଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ସଭାପତି ଜଗତ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅନେକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଭାରତ ରତ୍ନ ସଂବିଧାନ ପ୍ରଣେତା ଡାକ୍ତର ଭୀମ ରାଓ ଆମ୍ବେଦକର ଫୋଟୋ ଚିତ୍ରରେ ଧୂପଦୀପ ପୁଷ୍ପାଞ୍ଜଳୀ ପ୍ରଦାନ କରିବା ସହିତ ଏହି ମହାସଂଘର ବାଏ-ଲ ଉପରେ ମୋଚିରାମ ମାଝୀ ଆଲୋକପାତ କରିଥିଲେ । ସଭାପତି ଜଗତ ମାଝୀ ସ୍ବାଗତ ସମ୍ଭାଷଣ ଉପସ୍ଥାପନ କରିବା ସହିତ ସଭା ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆରକ୍ଷଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯାହାକୁ ରାଷ୍ଟ୍ରୀୟ ସମ୍ପାଦକ ବିଜୟ କୁମାର ରାମ ଉଦଘାଟନ କରି ରାଷ୍ଟ୍ରୀୟ ସ୍ତରରେ ଆରକ୍ଷଣ ରକ୍ଷାରେ ସେବାସ୍ତମ୍ବର ଭୂମିକା ସମ୍ପର୍କରେ ଚର୍ଚ୍ଚା କରିଥିଲେ ଏବଂ ଭବିଷ୍ୟତରେ ସର୍ବ ସାଧାରଣ ପାଇଁ ଏହି ପ୍ରକାରର କର୍ମଶାଳା ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ । ଅନେକ କର୍ମଚାରୀ ମାନେ ତାଙ୍କ ଅସୁବିଧା ସମ୍ପର୍କରେ କହିଥିଲେ ଏବଂ ମୋଚିରାମ ମାଝୀ, ଉପସଭାପତି ପ୍ରଦୀପ ହେମ୍ଭ୍ରମ, ଗୋପାଳ ମହାନ୍ତି , ମୋଅତ୍ତର ହୁସେନ ସମାଧାନର ବାଟ ବାହାର କରି ଥିଲେ । ଜିଲ୍ଲା ସମ୍ପାଦକ ବାଜଲ ମୁର୍ମୁ ଜିଲ୍ଲା ସ୍ତରରେ ଆରକ୍ଷଣର ସଠିକ୍ ସମୀକରଣ ଉପରେ ଆଲୋଚନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଡା. ସାଗେରାମ ଟୁଡୁ, ଧନଞ୍ଜୟ ମାରାଣ୍ଡି, ରବିନ୍ଦ୍ର ମୁଖୀ, ବିଭୁତି ଭୂଷଣ ପାତ୍ର, ଲକ୍ଷ୍ମଣ ଟୁଡୁ, ଦୀନବନ୍ଧୁ ଗିରି, ମେଘନାଥ ଶାହ ଓ ସେବାସ୍ତମ୍ବର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ନୂତନ ଆରକ୍ଷଣ ଉପରେ ପ୍ରଶ୍ନୋତ୍ତର କରିଥିଲେ । ସଭାଶେଷରେ ଅଧ୍ୟାପକ ରାଜେଶ ରାମ ତାଙ୍କ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।