-
ହୋଇ ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ପ୍ରଥମାର୍ଧ ବୈଠକରେ କୌଣସି କାମ ହୋଇ ପାରି ନାହିଁ । ହଟ୍ଟଗୋଳ କାରଣରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମରେ ୧୧.୩୦ ଯାଏ ଓ ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ହେଲା ବୋଲି ଘୋଷଣା କରିଥିଲେ ।
ଗୁରୁବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ମନ୍ତ୍ରୀଙ୍କୁ କହିବା ବେଳେ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳର ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସିୁ ପାଟିତୁଣ୍ଡ କରିବା ସହ ସରକାର ବିରୋଧୀ ନାରାବାଜୀ କରିଥିଲେ । ସେମାନେ ଖଣି ପ୍ରସଙ୍ଗ ଓ ଆତ୍ମହତ୍ୟା ପ୍ରସଙ୍ଗରେ ନାରାବାଜୀ କରିଥିଲେ । ଏହା ପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଏହା ପରେ ୧୧.୩୦ରେ ପୁଣି ଥରେ ଗୃହ କାଯ୍ୟ ଆରମ୍ଭ ହେଲା ମାତ୍ରେ ସେହି ସମାନ ସ୍ଥିତି ଉପୁଜି ଥିଲା । ବିରୋଧୀ ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ସୁରକ୍ଷା ଘେର ଭିତରେ ବାଚସ୍ପତି ଥିଲେ । ସେ କହିଥିଲେ ବର୍ତମାନ ଶୂନ୍ୟକାଳ କାର୍ଯ୍ୟକ୍ରମ ଅଛି । ତେଣୁ ଆପଣ ମାନେ ନିଜ ନିଜ ଆସନକୁ ଯାଇ ଯାହା କହିବାର ଅଛି କୁହନ୍ତୁ । ହେଲେ ବିରୋଧୀ ବିଧାୟକ ମାନେ ସେମାନଙ୍କର ନାରାବାଜୀ ଜାରୀ ରଖିଥିଲେ । ଫଳରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।