ଭୁବନେଶ୍ୱର- ଖଣି ଦୁର୍ନୀତିକୁ ନେଇ ବିରୋଧିଙ୍କ ହଟ୍ଟଗୋଳ ଯୋଗୁ ବାରମ୍ବାର ଗୃହ ମୁଲତବୀ ହେଉଥିବା ବେଳେକେନ୍ଦ୍ର ଅବହେଳା ଓ ଏମଏପି ବୃଦ୍ଧି ପ୍ରସଙ୍ଗକୁ ନେଇ ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ମୂର୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ଓଡ଼ିଶାକୁ ସବୁବେଳେ ଅବହେଳା କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟର ଚାଷୀଙ୍କ ପ୍ରତି ଅବିଚାର କରୁଛି କେନ୍ଦ୍ର । ଏସବୁ ପ୍ରସଙ୍ଗକୁ ଲୁଚାଇବାକୁ ବିଜେପି ଗୃହ ଚଳାଇଦେଉନଥିବା ବିଜେଡି ଅଭିଯୋଗ କରିଛି । ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯାଉନଥିବାରୁ ପ୍ରତିବାଦ କରିଛି ଶାସକ ଦଳ । ଏହାସହିତ ରବି ଋତୁରେ ଧାନର ଏମ୍ଏସ୍ପି ବୃଦ୍ଧି କରାଯାଉନଥିବାରୁ ବିଜେଡି ଉଦବେଗ ପ୍ରକାଶ କରିଛି ।
ବିଜେପି ସଦସ୍ୟ ମାନେ ରାଜ୍ୟ ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ବିଜେଡି କହିଛି । ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଅଧିକ ଧାନ ଚାଷ ହେଉଛି । ସେହି ଅନୁପାତରେ ଅଧିକ ଚାଉଳ ମଧ୍ୟ ଉତ୍ପାଦନ ହେଉଛି । ମାତ୍ର ଏଫସିଆଇ ଚାଉଳ ନେଉନାହିଁ । କୃଷକ ମାରଣ ନୀତି ଚଳାଇଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ରାଜ୍ୟର ଆବଶ୍ୟକ ମୁତାବକ ସାର ମଧ୍ୟ କେନ୍ଦ୍ର ଦେଉନାହିଁ ।
ଏଗ୍ରିମେଂଟ ଅନୁସାରେ ସାର ଦେଉନାହାନ୍ତି କେନ୍ଦ୍ର ସରକାର ବୋଲି ବିଜେଡି କହିଛି । ରାଜ୍ୟ ଏଯାଏଁ ୨ଲକ୍ଷ ୨୭ହଜାର ମେଟ୍ରିକ ଟନ୍ କମ ସାର ପାଇଛି । ଫଳରେ ମରୁଡି ସମୟରେ ଚାଷୀ ଅଧିକ ହନ୍ତସନ୍ତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭ ପାଉନାହାନ୍ତି କିନ୍ତୁ କମ୍ପାନୀ ଲାଭ ପାଉଛନ୍ତି । ଚାଷୀଙ୍କ ପାଇଁ ବିଜେଡି ସବୁବେଳେ ଆଗକୁ ଆସିଛି । ଯଦି ଏହା ସମାଧାନ ନହୁଏ ତେବେ ଆଗକୁ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ବୋଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ।
ସେହିପରି ରବି ଫସଲର ଏମ୍ଏସ୍ପି ବୃଦ୍ଧି, ସାର ଏବଂ ଫସଲ ବୀମା ଯାହା ଏବେ ୬୦-୪୦ ରେ ଚାଲିଛି ତାହା ୫୦-୫୦ କରାଯାଉ ବୋଲି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।