ନୂଆପଡ଼ା, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓବାହାଲ ଗ୍ରାମରେ ଗତକାଲି ଧୁମ୍ ଧାମ୍ ରେ ପୁରା ଉଆଁସ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବକୁ ସାଧାରଣତଃ ସାନସାନ ପୁଅଝିଅ ପାଳନ କରିଥାଆନ୍ତି ।ଏହି ପର୍ବରେ ଝିଅମାନେ ଘରକରଣା ରୋଷେଇ ବାସ ସମ୍ପର୍କରେ ଧାରଣା ପାଇ ଥାଆନ୍ତି । ପୁଅମାନେ ମଧ୍ୟ ବାଣିଜ୍ୟ ବ୍ୟବସାୟ ସମ୍ବନ୍ଧରେ ଶିକ୍ଷା ପାଇ ଥାଆନ୍ତି । ଘରେ ତିଆରି ହୋଇଥିଵା ଖଜା, ଲିଆଲଡୁକୁ ନେଇ ଝିଅମାନେ ମାଟିରେ ତିଆରି କାଁ ଚି କୁଣି, ସାହାଯ୍ୟରେ ମିଛିମିଛକା ରୋସେଇ କରି ଥାଆନ୍ତି । ପୁଅମାନେ କାଠ, ମାଟିରେ ତିଆରି ପୁରା ଗାଡ଼ିରେ ଖଜା ଲିଆ ନେଇ ମିଛିମିଛିକା ଦୋକାନ କରି ଥାଆନ୍ତି । ଝିଅମାନେ ଏହି ଦୋକାନରୁ ଘିନାଘିନି କରନ୍ତି। ଏହା ଆମ ଦେସରେ ଚଲି ଆସୁଥିବା ଜିନିଷ ବଦଲରେ ଜିନିଷ ଦେବାର ପରମ୍ପରାକୁ ମନେ ପକାଇ ଦିଏ । ପୁଅମାନେ ଏଥିରୁ ବ୍ୟବସାୟ ବାଣିଜ୍ୟ ସମ୍ପର୍କରେ ଧାରଣା ପାଆନ୍ତି ।କୋସଲାଞ୍ଚଲର ଏହା ହେଉଛି ନିଜସ୍ବ ପର୍ବ। ପୁରାତନ କାଳରେ ଏହି ଅଞ୍ଚଳର ବ୍ୟବସାୟୀମାନେ ବଳଦ ଗାଡ଼ିରେ ବିଭିନ୍ନ ଦ୍ରବ୍ୟ ନେଇ କଳିଙ୍ଗକୁ ଯାଉଥିଲେ । ସେହି ଅଞ୍ଚଳରୁ ପ୍ରତି ବଦଲରେ ଲୁଣ ନେଇ ଆସୁଥିଲେ । ଘରକୁ ଆସିଲେ ଝିଅ ବୋହୁ ମାନେ ସେମାନଙ୍କୁ ବନ୍ଦାପନା କରି ପାଛୋଟି ଆଣୁଥିଲେ । ସେହି ପରମ୍ପରାର ସ୍ମୃତି ରେ କୋସଲାଞ୍ଚଲରେ ଭାଦ୍ରବମାସ ଅମାବାସ୍ୟା ଦିନ ପୁରା ଉଆଁସ ପର୍ବ ପାଳିତ ହୋଇଥାଏ ।