ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୀର୍ଘ ଦିନରୁ ଅବହେଳିତ ଅବସ୍ଥାରେ ରହିଛି । ବାରମ୍ବାର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେଉନଥିବା ନେଇ ଚର୍ଚ୍ଚା ହେଉଛି । ପଟ୍ଟାମୁଣ୍ଡାଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁ ନ ଥିବାରୁ ଅବସ୍ଥାରେ କୌଣସି ପରିବର୍ତନ ହେଉନାହିଁ । ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି ଏହାର ସମାଧାନ ପାଇଁ ଦାବି କରିଆସିଛନ୍ତି । ସରକାର ଏହି ସବୁ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ସେହି ପ୍ରତିଶ୍ରୁତି ଅଦ୍ୟାବଧି ପାଳନ ହୋଇ ନ ଥିବାରୁ ଏହାର ପ୍ରାସଙ୍ଗିକତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଚଳିତ ବିଧାନସଭା ଅଧିବେସନରେ ପଟ୍ଟାମୁଣ୍ଡାଇର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉଥାପନ କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି ଏହାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଥିବା ବେଳେ ଆର୍ଥିକ ମଞ୍ଜୁରୀ ପ୍ରଦାନରେ ବିଳମ୍ବ, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବା, ହୋମିଓପାଥିକ ଓ ଆୟୁର୍ବେଦିକ ଚିକିତ୍ସାଳୟ ଗୁଡିକରେ ଡାକ୍ତରୀ ପଦବୀ ଖାଲି ପଡିବା ସହ ଡାକ୍ତର ନଥିବା କାରଣରୁ କେଉଁ କେଉଁ ସ୍ଥାନରେ ଚିକିତ୍ସାଳୟ ବନ୍ଦ ହୋଇ ପଡିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ୨୦୧୯/୨୦ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତିକରଣ ନିମନ୍ତେ ୫ କୋଟି ଟଙ୍କା ଅନୁଦାନ କରାଯାଇଛି । ଆବଶ୍ୟକତା ଅନୁଯାଇ ଅଣବେତନ ଖର୍ଚ୍ଚ ପ୍ରଦାନ କରାଯାଇଛି । ଆଉ ଖାଲି ପଡିଥିବା ଡାକ୍ତରୀ ପଦବୀ ଗୁଡିକୁ ଓପିଏସ ଦ୍ୱାରା ଚୟନ କରାଯାଇ ବିଭାଗୀୟ ପଦୋନ୍ନତି ତଥା ଚୁକ୍ତି ଭିତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଉତରରେ କହିଥିଲେ ।