-
୨ ମହିଳାଙ୍କ ସମେତ ୯ ଗିରଫ
-
୧୦ ହଜାର ଟଙ୍କା, ୩୦ ଗାମ୍ ସୁନା ଅଳଙ୍କାର ଜବତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନ ଏସ. ଗୋପାଳପୁରରେ ଘରର ତାଲା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି । ବିଭିନ୍ନ ଥାନା ଇଲାକାରେ ଚଢ଼ଉ କରି ଦୁଇ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ୩୦.୬୬୦ ଗ୍ରାମ୍ ସୁନା ଅଳଙ୍କାର ଜବତ ଓ ଲୁହାରଡ଼ ଜବତ ହୋଇଥିବା ନେଇ ସହକାରୀ ଆରକ୍ଷୀ ଅଧିକ୍ଷକ ପି.କେ. ଦଳାଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ସୁକୁଣ୍ଡା ଗ୍ରାମର କେ. ନେପାଳି, ଆର୍. ଅନିଲ, କେ. ବିଶୁ, ଏସ. ରମେଶ, କେ. କସ୍ତୁରୀ, ପାଟପୁର ଥାନା ଜୟପୁର କଲୋନୀର ଆର୍. ଭାସ୍କର, ପାଟପୁରର ଆର୍. ଯମୁନା, ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ରାମଚନ୍ଦ୍ରପୁର ଗ୍ରାମର ଜେ. କାଳିଆ ଓ ଦିଗପହଣ୍ଡିର ଅଳଙ୍କାର ଦୋକାନ ମାଲିକ ପ୍ରମୋଦ ନାୟକ । ପ୍ରମୋଦ ଏହି ଚୋରି ଅଳଙ୍କାର କିଣିଥିଲେ ।
ଗତ ମାସ ୧୪ ତାରିଖରେ ଏସ. ଗୋପାଳପୁର ଗ୍ରାମର ସୁଧାକର ପ୍ରଧାନ ଘରେ ତାଲା ପକାଇ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡ଼ାକ୍ତରଖାନା ଯାଇଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ ମାନେ କବାଟର ତାଲା ଭାଙ୍ଗି ଘରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ କରିଥିଲେ । ଏ ସଂକ୍ରାନ୍ତରେ ପାଟପୁର ଥାନା କେସ୍ ନଂ ୨୬୪/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା ।