ଭୁବନେଶ୍ୱର, ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାମଲା ଆଜି ବିଧାନସଭାରେ ଉଠିଛି । ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏହି ପ୍ରସଙ୍ଗ ଉଠାଇ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।
ସେ କହିଛନ୍ତି ଯେ ଗଜପତି ଜିଲ୍ଳା ଏକ ଶାନ୍ତିପ୍ରିୟ ଜିଲ୍ଲା, ମାତ୍ର ଜିଲ୍ଲା ଏବେ ଉଠୁଛି ପଡୁଛି । ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ ରେ ଏତଲା ହୋଇଥିଲା । ଏନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଂଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏଯାଏଁ କୌଣସି ଦିଗ ବହାରିପାରୁନି । ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ଏ ମାମଲା ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଛି । ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଡ୍ରାସ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ ଏ କାଠ ସବୁ ଚାଲାଣ ହେଉଛି । ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷ ଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରାହେଉଛି । ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏ ଘଟଣାରୁ ଲାଗଛି ି ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଛନ୍ତି । କାହିଁକି ତାଙ୍କୁ ବଦଳି କରାଯାଉନି । ସ୍ଥାନୀୟ ଲୋକେ ତାତିଲେଣି । ସତ କଣ ସାମ୍ନା କୁ ଆସୁ ବୋଲି ସେ କହିଛନ୍ତି ।