ଭୁବନେଶ୍ୱର, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଦେଇ ଗୃହକୁ ଭ୍ରମିତ କରିଥିବା ଅଭିଯୋଗ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏହାର ଜାଂଚ କରି ଏହା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
ଶ୍ରୀ ମିଶ୍ର ଗୃହରେ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାର ତୁରେଇକଲା ବ୍ଲକରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ସେ ଗୃହରେ ସୂଚନା ଦେଇଥିଲେ । ଗତ ଶୁକ୍ରବାର ଦିନ ଏ ସମ୍ପର୍କରେ ସେ ସୂଚନା ଦେଇଥିଲେ । ତେବେ ରାଜସ୍ୱ ମନ୍ତ୍ରୀ ଏହାକୁ ଅସ୍ୱୀକାର କରି ଦେଇଥିଲେ । ସେ ଜାଣି ଶୁଣି ମିଥ୍ୟା ତଥ୍ୟ ଆଧାରେର ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ପାଖରେ ଏ ସମ୍ପର୍କିତ ପ୍ରମାଣ ରହିଛି । ମୃତକ ଚାଷୀଙ୍କ ସ୍ତ୍ରୀ କହିଛନ୍ତି ଯେ ଫସଲ ହାନୀ ଓ ଋଣ ବୋଝ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ।