କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ବାଟ ଫିଟିଲା। ପୂର୍ବତଟ ରେଳପଥ ଦାଖଲ କଲା ଚୁଡାନ୍ତ ସର୍ଭେ ରିପୋର୍ଟ। ରେଳବାଇ ବୋର୍ଡ ପାଖରେ ଏହି ରିପୋର୍ଟ ଦାଖଲ କରାଯାଇଛି। ଏ ସଂପର୍କରେ ପୂର୍ବତଟ ରେଳପଥ ବରିଷ୍ଠ ଅଧିକାରୀ ଏକ ଚିଠି ଲେଖି ପୂରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆଙ୍କୁ ଜଣାଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଗତମାସ ୧୯ ତାରିଖରେ ପୂରୀ ଗସ୍ତରେ ଆସିଥିବା ବେଳେ ପୂରୀ କୋଣାର୍କ ରେଳ ସଂଯୋଗ ପାଇଁ ଜଗନ୍ନାଥ ବସ୍ତିଆଙ୍କ ନେତୃତ୍ୱରେ ପୂରୀ ବିକାଶ ପରିଷଦ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏ ସଂପର୍କରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯଥାଶୀଘ୍ର ରିପୋର୍ଟ ଦଖଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାହାକୁ ଭିତ୍ତିକରି ଚୁଡାନ୍ତ ସର୍ଭେ ରିପୋର୍ଟ ଦାଖଲ କରାଯାଇଛି। ପୂର୍ବ ସର୍ଭେ ରିପୋର୍ଟରେ ବାଲୁଖଣ୍ଡ ଅଭୟାରଣ୍ୟ ଦେଇ ରେଳପଥ ନିର୍ମାଣ ପ୍ରସ୍ତାବ ରହିଥିଲା। ନୂଆ ସର୍ଭେ ରିପୋର୍ଟରେ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ସମୁଦ୍ରକୂଳ ଅଞ୍ଚଳକୁ ସେଥିରୁ ବାଦ ଦିଆଯାଇଛି। ଏଥିଯୋଗୁଁ ପୂରୀ କୋଣାର୍କ ରେଳପଥ ସଂଯୋଗ ଆଶା ଉଜ୍ବଳ ହୋଇଛି। ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଫାଇଲ ପୁଣିଥରେ ଖୋଲିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ପୂରୀ କୋଣାର୍କ ରେଳ ସଂଯୋଗ ଦାବିକରି ଗତ ଜାନୁଆରୀ ୨୮ ତାରିଖରେ ପୂରୀ ବିକାଶ ପରିଷଦ ପକ୍ଷରୁ ତତ୍କାଳୀନ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା। ସେତେବେଳର ରେଳମନ୍ତ୍ରୀ ଶ୍ରୀ ଗୋଏଲ୍ ଏ ବିଷୟରେ ରେଳବାଇ ବୋର୍ଡ ଏବଂ ପୂର୍ବତଟ ରେଳପଥ ଠାରୁ ରିପୋର୍ଟ ମାଗିଥିଲେ। ଗତମାସରେ ନୂଆ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ପୁଣିଥରେ ପୁରୀ ବିକାଶ ପରିଷଦ ଦାବୀପତ୍ର ପ୍ରଦାନ କରାଯିବ ପରେ ଚୂଡାନ୍ତ ସର୍ଭେ ରିପୋର୍ଟ ଦାଖଲ କରାଯାଇଛି। ପୁରୀରୁ କୋଣାର୍କ ମଧ୍ୟରେ ୩୫ କିମି ରେଳପଥ ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ୫୦% ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ୪ ବର୍ଷ ତଳେ ଘୋଷଣା କରିଥିଲେ। ପୁରୀ କୋଣାର୍କ ରେଳପଥ ନିର୍ମାଣ କରାଗଲେ ପର୍ଯ୍ୟଟନ ର ବିକାଶ ତ୍ୱରାନ୍ୱିତ ହୋଇପାରିବ। ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକ ମାନେ ଉପକୃତ ହୋଇ ପାରିବେ। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର୍ ଘୋଷଣା କରିଥିବାରୁ ଏବଂ ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାରୁ ପୂରୀ କୋଣାର୍କ ରେଳପଥ ସଂଯୋଗର ଆବଶ୍ୟକତା ରହିଥିବା ପୂରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ପ୍ରକାଶ କରିଛନ୍ତି। ରାଜ୍ୟର ଦୁଇଟି ପ୍ରମୁଖ ପର୍ଯଟନ ସହର ମଧ୍ୟରେ ରେଳପଥ ସଂଯୋଗ ସରକାର ଏବଂ ଲୋକଙ୍କ ପାଇଁ ଲାଭଦାୟକ ହେବବୋଲି ଶ୍ରୀ ବସ୍ତିଆ କହିଛନ୍ତି।