-
ଥାନା ଓ ଫାଣ୍ଡି ଖୋଲିବା ସମ୍ପର୍କରେ ଅଗ୍ରଗତି ନ ହେବା ନେଇ ଗୃହରେ ବିଧାୟକମାନଙ୍କ ଉଦବେଗ, ଗୃହସଚିବ ଓ ପୁଲିସ ଡିଜିଙ୍କୁ ଡାକି ଆଲୋଚନା ପାଇଁ ବାଚସ୍ପତି ଦେଲେ ନିର୍ଦେଶ
-
ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବିଧାନସଭାରେ ପ୍ରଶ୍ନକାଳରେ ସରଗରମ ଆଲୋଚନା
ଭୁବନେଶ୍ୱର, ଗତ ଅଧିବେଶନରେ ରାଜ୍ୟରେ ନୂଆ ଥାନା ଓ ଫାଣ୍ଡି ଖୋଲିବା ନେଇ ବିଧାୟକ ମାନଙ୍କ ଠାରୁ ପରାମର୍ଶ ନେଇ କାମ କରିବାକୁ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ବାଚସ୍ପତି ଗୃହରେ ନିର୍ଦେଶ ଦେଇଥିବା ସତ୍ୱେ ଏ ନେଇ କୌଣସି ଅଗ୍ରଗତି ହୋଇ ନାହିଁ । ଏହାକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ୪୦ରୁ ଉର୍ଧ ବିଧାୟକ ସେମାନଙ୍କ ଅଂଚଳରେ ନୂତନ ଥାନା ଓ ଫାଣ୍ଡି ଖୋଲିବା ପାଇଁ ପରାମର୍ଶ ଦେଇଥିବା କାରଣରୁ ବିଧାୟକ ମାନଙ୍କ ଉଦବେଗକୁ ଆଖି ଆଗରେ ରଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ସେ ପୁଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ସେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ପ୍ରଶ୍ନକାଳ ସରିବା ପରେ ବୈଠକ ଡାକି ଆଲୋଚନା କରିବାକୁ କହିଛନ୍ତି । ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ବେଳେ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂକୁ ସରକାର ମାନୁ ନାହାନ୍ତି । ନୂତନ ଥାନା ଓ ଫାଣ୍ଡି ସ୍ଥାପନା ପାଇଁ ଅନେକ ବିଧାୟକ ପ୍ରସ୍ତାବ ଦେଇଥିଲେ । ବାଚସ୍ପତ ଏ ସମ୍ପର୍କରେ ଙ୍କ ରୁଲି ଦେଇଥିଲେ । ବିଧାୟକ ମାନେ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହା ସତ୍ୱେ ଏହା କାର୍ଯ୍ୟକାରୀ ହେଉ ନାହିଁ । ସରକାର ଏବେ ବି ଉତର ଦେଉଛନ୍ତି ଯେ ପ୍ରସ୍ତାବ ବିଚାରାଧୀନ ରହିଛି । କେତେ ଦିନ ଧରି ପ୍ରସ୍ତାବ ବିଚାରାଧୀନ ଥିବ । ତେବେ ବିଚାର କରି ସରିବା ଯାଏ ଗୃହକୁ ବନ୍ଦ କରିଦିଆ ଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ରଙ୍କ ସମେତ ଅନେକ ବିଧାୟକ ଏ ସମ୍ପର୍କରେ ଉଦବେଗ ପ୍ରକାଶ କରିବା ପରେ ବାଚସ୍ପତି ଏ ସମ୍ପର୍କରେ ରୁଲିଂ ଦେଇଛନ୍ତି ।