-
ଷ୍ଟାଫସିଲେକସନ କମିଶନ ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିସ୍କାର ଦାବି
ଭୁବନେଶ୍ୱର , ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଷ୍ଟାଫସିଲେକସନ କମିଶନ ଦୁର୍ନୀତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିସ୍କାର ଦାବିରେ ସେପ୍ଟେମ୍ବର ୭ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବ । ପ୍ରଦେଶ ଛାତ୍ର କଂଗ୍ରେସ ଷ୍ଟାଫସିଲେକସନ ଦୁର୍ନୀତି ପ୍ରସଙ୍ଗରେ ଭୁବନେଶ୍ୱର ସ୍ଥିତ ଷ୍ଟାଫସିଲେକସନ କମିଶନ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିଭିନ୍ନ ଜିଲ୍ଳାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିସାରିଛି ।
ନବୀନ ସରକାର ୨୧ ବର୍ଷ ଧରି ଏ ରାଜ୍ୟର ଛାତ୍ର ସମାଜକୁ ପ୍ରତାରିତ କରିଛନ୍ତି । ଷ୍ଟାଫସିଲେକସନ ଦୁର୍ନୀତି ରେ ଜଣେ ସାଧାରଣ କିରାଣୀକୁ ବହିସ୍କାର କରି ଏବଂ ତାର ସମ୍ପତିର ଭିଜିଲାନ୍ସ ତଦନ୍ତ କରାଇ ସରକାର ସ୍ୱଚ୍ଛତାର ଦିଣ୍ଡିମ ପିଟୁଛନ୍ତି । ଏ ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ର ସମାଜକୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅପଚେଷ୍ଟା କରୁଛନ୍ତି । ଏ ମହାଦୁର୍ନୀତି କ’ଣ ଜଣେ କିରାଣୀ ଦ୍ୱାରା ସମ୍ଭବ କି? ଷ୍ଟାଫସିଲେକସନ କମିଶନ ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଅଧୀନ । ଏଣୁ ଏହାକୁ ଚପାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି । ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କୁ ଘଂଟ ଘୋଡାଉଛନ୍ତି । ୨୧ ବର୍ଷ ଭିତରେ ନବୀନ ସରକାର ୯୦ ପ୍ରତିଶତ ଚାକିରୀ ବିକ୍ରି କରିଦେଇଛନ୍ତି । କହିଥିଲେ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ ମାତ୍ର ଚାକିରୀ ଦେବାତ ଦୁରର କଥା ସରକାରୀ ଚାକିରୀ ହାଟରେ ଟେଣ୍ଡର ହେଉଛି । ଛାତ୍ରଛାତ୍ରୀ ବହୁ ପରିଶ୍ରମ କରି, ଅର୍ଥବ୍ୟୟ କରି ପାଠପଢ଼ୁଛନ୍ତି ଚାକିରୀ କରିବା ଆଶାରେ ମାତ୍ର ପରୀକ୍ଷା ପୂର୍ବରୁ ନବୀନ ସରକାର ଚାକିରୀ ବିକିଦେବା ଏ ରାଜ୍ୟର ଛାତ୍ର ସମାଜ ପ୍ରତି ପ୍ରତାରଣା ଏବଂ ବେଇମାନୀ । ଷ୍ଟାଫସିଲେକସନ ଅଧ୍ୟକ୍ଷ ଏବଂ ସମସ୍ତ ସଭ୍ୟଙ୍କୁ ତଦନ୍ତ ପରିସରକୁ ଆଣିବା ସହ ୨୧ ବର୍ଷ ଭିତରେ ଯେଉଁମାନେ ଦାୟୀତ୍ୱରେ ଥିଲେ ସେମାନଙ୍କର ବି ତଦନ୍ତ କରାଯାଉ । ଆଉ ନବୀନ ସରକାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଅପହରଣ ନକରନ୍ତୁ । ସରକାରୀ ଚାକିରୀ ନିଲାମ ନିଲାମ ନକରନ୍ତୁ । ଚାକିରୀର ପରୀକ୍ଷାର୍ଥୀ ମାନଙ୍କୁ ନ୍ୟାୟ ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଭାଗର ଦୁର୍ନୀତିକୁ ସ୍ୱୀକାର କରନ୍ତୁ ।
ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଜି ବିପର୍ଯ୍ୟସ୍ତ । ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଆଇନ ମନ୍ତ୍ରୀ ଏବଂ ମାହାଙ୍ଗା ବିଧାୟକଙ୍କ ଅପରାଧକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘଂଟ ଘୋଉଛନ୍ତି । ରାଜନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏଫଆଇଆରରେ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ନେଇ ତାଙ୍କ ନାମ ଲେଖିଥିଲେ । ମାତ୍ର ଅଭିଯୋଗ ହେଉଛି ମାହାଙ୍ଗା ଥାନା ତୃତୀୟ ମହଲାର ନିର୍ଦ୍ଦେଶରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଚାର୍ଜସିଟ୍ରୁ ବାଦ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଉ ଘଂଟ ଘୋଡ଼ାନ୍ତୁ ନାହିଁ । ପୋଲିସ୍କୁ ପ୍ରମାଣ ଲୁଚାଇବା ପାଇଁ ଚାପ ପ୍ରୟୋଗ କରନ୍ତୁ ନାହିଁ । ସୁତରାଂ ପ୍ରଦେଶ ଛାତ୍ର କଂଗ୍ରେସ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିସ୍କାର ଏବଂ ଗିରଫ ଦାବି କରୁଛି । ଶ୍ରୀ ଜେନା ଜଣେ ଅପରାଧି ହୋଇଥିବାରୁ ମନ୍ତ୍ରୀ ପଦରେ ରହିବା ଅଧିକାର ତାଙ୍କର ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ସୁନିଲ ମାଟିଆ, ବିଶ୍ୱଭୂଷଣ ମହାପାତ୍ର, ବାବୁ ଜେନା, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଭାଗ୍ୟଶ୍ରୀ ମହାନ୍ତି, କାର୍ତିକ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।