ମାଲକାନଗିରି, ଓଡ଼ିଶା ସରକାରଙ୍କ ଦ୍ବାରା ପରିବେଶ ଓ ଜଙ୍ଗଲ ବିଭାଗ ତରଫରୁ ପ୍ରତିବର୍ଷ ପରିବେଶ, ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥାଏ।ନିଜ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ରାସ୍ତା ପାର୍ଶ୍ବରେ, ମନ୍ଦିର ପରିସରରେ ବୃକ୍ଷରୋପଣ କରିବା ସହ ବୃକ୍ଷର ମାହାତ୍ମ୍ୟ ଓ ଜଙ୍ଗଲ ସୁରକ୍ଷା ଉପରେ ଗାଁ ଗାଁରେ ସଚେତନତା ଆଦି କାର୍ଯ୍ୟକ୍ରମ କରି ସଫଳତା ଅର୍ଜନ କରିଥିବା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା କବି କରୁଣାକର ମଲିକଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୨୦-୨୧ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି।
ଶ୍ରୀ ମଲିକଙ୍କୁ ମାନପତ୍ର ସହ ଉପଢୌକନ ଓ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବା ପରେ ଶ୍ରୀ ମଲିକ ତାଙ୍କ ପ୍ରେରଣାର ଉତ୍ସ ସ୍ବର୍ଗୀୟା ପତ୍ନୀ ମଧୁସ୍ମିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ ସମସ୍ତ ଶ୍ରେ଼ୟ ତାଙ୍କୁ ହିଁ ଅର୍ପଣ କରଛନ୍ତି । ଏ ବାବଦରେ ପାଇଥିବା ଅର୍ଥରାଶିକୁ ପୁରୁଣା ଚିତାପାରି ହନୁମାନ ମନ୍ଦିର ପରିସରରେ ବନୀକରଣ ତଥା ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ମନ୍ଦିର କମିଟିକୁ ପ୍ରଦାନ କରିବେ ବୋଲି କହିଛନ୍ତି । ସେହିପରି ଗ୍ରୀନ୍ ଇଣ୍ଡିଆ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ ସ୍ବାଧିନତା ଦିବସ ଅବସରରେ ଇଣ୍ଟରନେସନାଲ ଏନଭାୟୋରମେଣ୍ଟ ଲିଡର୍ ସିପ୍ ଆଓ୍ବାଡ୍ -୨୦୨୧ ରେ ମାନପତ୍ର ଦେଇ ସମ୍ମାନିତ କରାଯାଇଛି ।