ଭୁବନେଶ୍ୱର,ଆସନ୍ତା ସେପ୍ଟେମ୍ବର ୩୦ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଡ୍ ଗ୍ରହଣ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଏନେଇ ଶନିବାର ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି ।
ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ôଥପତ୍ର କାଏମ୍ ରହିଛି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀଙ୍କ ପ୍ରାର୍ôଥପତ୍ର କାଏମ୍ ରହିଛି ।
ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର କରିବା ନିମନ୍ତେ ଅନୁମତି ମିଳିଛି । ମାତ୍ର ୯ ଦିନ ପାଇଁ ହେବ କ୍ୟାମ୍ପେନିଂ । ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲିକୁ ମନା କରାଯାଇଛି । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିଛି ।
ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା । ଏହାପରେ ମେ ୧୬ ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନିମନ୍ତେ ଘୋଷଣା ହୋଇଥିଲା । ହେଲେ ଏହା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଥିଲା । ତାଙ୍କ ଦେହାନ୍ତ ଯୋଗୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।