-
ହୋଇପାରିଲାନି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଓ ମୁଲତବୀ ନୋଟିସ ଉପରେ ଆଲୋଚନା
ଭୁବନେଶ୍ୱର, ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ଆଜି ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୂନ୍ୟକାଳ ଓ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇପାରି ନାହିଁ । ହଟ୍ଟଗୋଳକୁ ଏ଼ଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଦୁଇଥର ମୁଲତବୀ କରିଥିଲେ ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଜେପି ବିଧାୟକ ମାନେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ତାଙ୍କୁ ଗିରଫ କରିବା ଦାବି କରିଥିଲେ । ସେମାନେ ହାତରେ ବ୍ୟାନର ମଧ୍ୟ ଧରି ଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ବିଧାୟକ ମାନେ ମରୁଡି ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ କହିଥିଲେ । ହେଲେ ସେମାନେ ତାଙ୍କ କଥା ଶୁଣି ନ ଥିଲେ । ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ।
ହଟ୍ଟଗୋଳକୁ ଏ଼ଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ସେ ସମାଧାନର ରାସ୍ତା ବାହାର କରିବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ । 11.30ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ସେହି ସମାନ ସ୍ଥିତି ଦେଖା ଦେଇଥିଲା । ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ସେମାନଙ୍କର ପୁରୁଣା ଦାବିକୁ ଦୋହରାଇଥିଲେ । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ମରୁଡ଼ି ପ୍ରସଙ୍ଗରେ ରେ ବିରୋଧୀ ସଦସ୍ୟ ଙ୍କ ଉଦବେଗ କୁ ଦୃଷ୍ଟି ରେ ରଖି ଚଳିତ ଅଧିବେଶନର ଶେଷ ସୁଦ୍ଧା ଏହି ପ୍ରସଙ୍ଗ ରେ ବିହିତ ପଦକ୍ଷେପ ନେବା କୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହା ସତ୍ୱେ ବିରୋଧୀ ଦଳର ସଦସ୍ୟ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।