ଭୁବନେଶ୍ୱର, ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ଆଜି ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ହଟ୍ଟଗୋଳକୁ ଏ଼ଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ସେ ସମାଧାନର ରାସ୍ତା ବାହାର କରିବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଜେପି ବିଧାୟକ ମାନେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ତାଙ୍କୁ ଗିରଫ କରିବା ଦାବି କରିଥିଲେ । ସେମାନେ ହାତରେ ବ୍ୟାନର ମଧ୍ୟ ଧରି ଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ବିଧାୟକ ମାନେ ମରୁଡି ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ କହିଥିଲେ । ହେଲେ ସେମାନେ ତାଙ୍କ କଥା ଶୁଣି ନ ଥିଲେ । ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ।