ପୁରୀ, ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ସଂନ୍ଧ୍ୟା ଧୂପ ପରେ ଏହି ଦୁଲ୍ଲଭ ବେଶ ଅନୁଷ୍ଠିତ ହେବ । ଗୋପଲୀଳା ସମୟରେ କୃଷ୍ଣ ବଳରାମ ଗାଈ ବାଛରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ଏହି ପରମ୍ପରାକୁ ମନେ ପକାଇ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଥାଏ ।
ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯିବ । ପରେ ପରେ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ବଡଛତା ନିକଟରେ କୋଳି ବିକା ନୀତି ସମ୍ପନ୍ନ କରିବା ପରେ ସଂନ୍ଧ୍ୟାଧୂପରେ ବଣଭୋଜି ବେଶ ଅନୁଷ୍ଠିତ ହେବ । ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ଲାଗି କରାଯିବା ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣକିଆ ଖୋସାଯାଇଥାଏ । ଏହା ଛଡ଼ା ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଈ ବାଛୁରୀ ଦଣ୍ଡାୟମାନ ଅବସ୍ଥାରେ ରଖାଯାଇଥାଏ ।ଆଜି ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି କାଳୀୟଦଳନ ବେଶ ଏବଂ ୪ ତାରିଖରେ ପ୍ରଳମ୍ବାଶୁର ବଧ ବେଶ ଓ ତ୍ରୟୋଦଶି ତିଥିରେ କୃଷ୍ଣ ବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି ।