
ଭୁବନେଶ୍ୱରନ, ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ୍ କରାଯାଇଛି । ଏହା ସହିତ ସେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ୧୯୯୭ ବ୍ୟାଚ୍ ଆଇଏଏସ୍ ଡ.ମେହେର୍ଦ୍ଦା କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍)ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଭାବେ ଦାୟିତ୍ୱ ନେବେ ।
ସେହିପରି ଜଳ ସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବରିଷ୍ଠ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ବର୍ତମାନ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତା’ସହିତ ତାଙ୍କ ପାଖରେ ଓଏସ୍ଏସ୍ଏସ୍ସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଅଛି ।