ଭୁବନେଶ୍ୱର, ଓଡିଶା ବିଧାନସଭାର ଚଳିତ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ଶୋକ ପ୍ରସ୍ତାବ ପାରିତ ହେବା ପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଥିଲେ । ହେଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ଅନ୍ୟ ମାନେ ନିଜ ନିଜ ଆସନରେ ଠିଆ ହୋଇ କିଛି କହୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମ ବାତିଲ କରି ରାଜ୍ୟରେ ମରୁଡି ପରିସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲେ । ବାଚସ୍ପତି ସେମାନଙ୍କୁ କହିଥିଲେ ଯେ ବିରୋଧୀ ଦଳ ଦ୍ୱାରା ଏ ସମ୍ପର୍କରେ ଅଣା ଯାଇଥିଲା ମୁଲତବୀ ପ୍ରସ୍ତାବକୁ ସେ ସ୍ୱୀକାର କରିଛନ୍ତି । ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ଏହା ଉପରେ ଆଲୋଚନା ହେବ । ତେଣୁ ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଚଳାଇ ରଖିବାରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଅନ୍ୟ ପଟେ ମନ୍ତ୍ରୀ ତାଙ୍କର ଉତର ରଖୁଥିବା ଦେଖା ଯାଇଥିଲା । କଂଗ୍ରେସ ବିଧାୟକ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଯିବା ତଥା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିବା ଦେଖିବାକୁ ମିଳିଥିଲା । ଏହା ପରେ ବାଚସ୍ପତି ୧୧.୩୯ରୁ ଦିନ ୧୨.୩୪ ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।