ସାଲେପୁର – କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗ୍ରାମରେ ଆଜି ବିଦ୍ୟୁତ ଆଘାତରେ ଜଣେ ମହିଳା ଓ ତାଙ୍କର ଦୁଇ ବୋହୂଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଶାଶୂ ସୀତା ମଲ୍ଲିକ, ବଡ଼ ବୋହୂ ନନ୍ଦିତା ମଲ୍ଲିକ ଓ ସାନବୋହୂ ପୁଷ୍ପଲତା ମଲ୍ଲିକ । ସୂଚନା ଅନୁଯାୟୀ, ଆଜି ସକାଳେ ନନ୍ଦିତା ଗାଧୋଇ ସାରି ଓଦା ଲୁଗାକୁ ଘର ସାମ୍ନା ଅଗଣାରେ ବନ୍ଧା ଯାଇଥିବା ବିଦ୍ୟୁତ ତାରରେ ଶୁଖାଉ ଥିଲେ । ତେବେ ତାରଟି କଟି ଯାଇଥିବାରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ବିକଳ ଚିକ୍ରାର ଶୁଣି ଶାଶୂ ସୀତା ଓ ଯାଆ ପୁଷ୍ପଲତା ତାଙ୍କୁ ବଂଚାଇବାକୁ ସେଠାକୁ ଦୌଡ଼ି ଯାଇଥିଲେ । ନନ୍ଦିତାଙ୍କୁ ବଂଚାଇବାକୁ ଯାଇ ସେମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଲେପୁର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Related Stories
November 24, 2024
November 24, 2024