କନ୍ଧମାଳ, ଫୁଲବାଣୀର ପୁରାତନ ବିଶ୍ଵବିଦ୍ୟାଳୟ ଏ.ଜେ.ଓ ହାଇସ୍କୁଲର ପୂର୍ବତନ ଶିକ୍ଷକ ସୁଧିର କୁମାର ସେନାପତିଙ୍କ ଦେହାନ୍ତ ଘଟିଛି । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କ ନିକଟରେ ତାଙ୍କର ଦୁଇ ପୁଅ ଉପସ୍ଥିତ ଥିଲେ । ସେ ଫୁଲବାଣୀର ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସୁ ପରିଚିତ ଥିଲେ । ଛାତ୍ର ମାନଙ୍କୁ ସ୍ବତନ୍ତ୍ର ଭାବେ ଗଣିତ ଓ ବିଜ୍ଞାନ ଶିକ୍ଷା ଦାନ କ୍ଷେତ୍ରରେ ତାଙ୍କର ଅଧିକ ଅବଦାନ ଥିଲା । ତାଙ୍କର ଶିକ୍ଷାଦାନ ପଦ୍ଧତି ଅତ୍ୟନ୍ତ ଉଚ୍ଚକୋଟୀର ଓ ବିଜ୍ଞାନ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ଥିଲା ।
ସେ ୧୯୭୦ ମସିହାରେ ଫୁଲବାଣୀ ଆସିଥିଲେ। ତାଙ୍କର ବିୟୋଗରେ ଫୁଲବାଣୀର ପୁରାତନ ଛାତ୍ର ଅରୁପ କୁମାର ଜେନା, ବିନୟ କୁମାର ପଟ୍ଟନାୟକ, ବସନ୍ତ କୁମାର ମହାନ୍ତି, ବିଜୟକୃଷ୍ଣ ପଟ୍ଟନାୟକ, ସୁନିଲ କୁମାର ପଟ୍ଟନାୟକ, ଶିବାନନ୍ଦ ପଟ୍ଟନାୟକ, ଅଶୋକ ପାତ୍ର, ଦେବଦାସ ବାନାର୍ଜୀ ଏବଂ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ପାର୍ଥିବ ଶରୀର ଆଜି ବ୍ରହ୍ମପୁରରୁ ଫୁଲବାଣୀକୁ ଅଣାଯାଇ ଶେଷ ଦର୍ଶନ ପାଇଁ ଅମଲାପଡା ସ୍ଥିତ ବାସଭବନରେ ରଖା ଯାଇଛି। ସେ ଜଣେ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ବ୍ୟକ୍ତି ଅଟନ୍ତି । ଆସନ୍ତା କାଲି ଖ୍ରୀଷ୍ଟୀୟ ପରମ୍ପରା ଅନୁସାରେ ଫୁଲବାଣୀ ହାଉସିଂ ବୋର୍ଡ କଲୋନୀ ନିକଟରେ ଥିବା କବରସ୍ଥାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।