ପୁରୀ, ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ନୀତି ହୁଏ । ମଙ୍ଗଳ ଆଳତି ପରେ ରାମକୃଷ୍ଣ ଓ ମଦନମୋହନ ଜଗମୋହନରେ ଦୋଳିରେ ବସନ୍ତି । ସକାଳ ଧୂପ ସମାପ୍ତ ହେବା ପରେ ପାଣିପକା ଭୋଗ ହୁଏ । ଏହି ଦିନ ଭୋଗମଣ୍ଡପ ଘର ଓ ଶ୍ରୀଜୀଉଙ୍କ ମଧ୍ୟରେ ଦୋଳା ଥିବାରୁ ଭୋଗମଣ୍ଡପ ଭୋଗକୁ ପାଣିପକା ଭୋଗ କୁହାଯାଏ । ଏହା ପରେ ସଂପୃକ୍ତ ସେବକମାନଙ୍କ ଦ୍ଵାରା ମଇଲମ, ମହାସ୍ନାନ ପୂଜା ଠା, ନୂଆ ଲୁଗା ଲାଗି ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାଇବେ । ଦିଅଁମାନେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହେବେ । ଦେବୀ ସୁଭଦ୍ରାଙ୍କୁ ଆଜ୍ଞାମାଳ ଖଣ୍ଡିଏ ଲାଗି କରାଇ କର୍ପୂର ଲାଗି ପୁଷ୍ପାଳକ ସିଂହାସନରୁ ଓହ୍ଲାଇବେ। ସୁଭଦ୍ରା ଓ ଜଗନ୍ନାଥଙ୍କ ବାଡ଼ରେ ଷଷ୍ଠୀ ଓ ମାର୍କଣ୍ଡି ପୂଜା ହୁଏ । ଏହା ପରେ ମଧ୍ୟାହ୍ନ ଧୂପର ଛେକ ରୋଷଘରୁ ଘଣ୍ଟ, ଛତା ଓ କାହାଳୀ ସହ ତଳୁଚ୍ଛ ଓ ପ୍ରଧାନୀଙ୍କ ହାତ ପୈଠ ହୋଇ ଆସିବେ । ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପୂଜା କରିବେ । ଧୂପ ଶେଷ ପରେ ଧୋପଖାଳ ହେବ । ପଣ୍ଡା, ପତି ଓ ମୁଦିରସ୍ତ ଆସି ଜଗନ୍ନାଥଙ୍କବାଡ଼ ଓ ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବେ ଓ ତିନିବାଡ଼ରେ ବନ୍ଦାପନା କରିବେ । ଏହାପରେ ଭଣ୍ଡାର ଘରୁ ଦୁର୍ଗା ମୂର୍ତ୍ତିଙ୍କୁ ପତି ମହାପାତ୍ର ବିଜେ କରାଇନେଲେ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ପୂଜାପଣ୍ଡା ଆଜ୍ଞାମାଳ ଦିଅନ୍ତି । ପତି ମହାପାତ୍ର ଏହାପରେ ଦୁର୍ଗାଙ୍କୁ ହାତରେ ବିଜେ କରାଇ ଆଣି ଜଗମୋହନର ଦୋଳି ଆଗରେ ଖଟୁଲି ଉପରେ ବିଜେ କରାଇବେ । ଏଠାରେ ମହାସ୍ନାନ ଓ ଶୀତଳ ଭୋଗ ହେବା ପରେ ବନ୍ଦାପନା ହୋଇ ଦୁର୍ଗାଙ୍କୁ ସାତ ପାହଚ ଦ୍ଵାରଠାରେ ଡମ୍ବରୁ ଉପରେ ବିଜେ କରାଯାଏ । ଏ ସମୟରେ ବିଜୁଳି କନ୍ୟାକୁ ଧରି ଫୋପାଡ଼ି ଦିଅନ୍ତି । ଏଠାରେ ଦେବୀଙ୍କର କର୍ପୂର ଆଳତି ହୋଇ ତାଙ୍କୁ ଭଣ୍ଡାରକୁ ବାହୁଡ଼ା ବିଜେ କରାଯାଏ ।
ଏହା ପରେ ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନମୋହନଙ୍କୁ ଖଟ ଉପରେ ବିଜେ କରାଯାଏ । ଏଠାରେ ମାଜଣା ଓ ମାଳଫୁଲ ଲାଗି ପରେ ଦିଅଁଙ୍କୁ ସାତ ପାହଚ ଦ୍ଵାରଠାରେ ପାଲିଙ୍କିରେ ବସାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରକୁ ବିଜେ କରାଯାଏ । ଏ ଉତ୍ତାରୁ ଭିତରଚ୍ଛ ମହାପାତ୍ର (ନନ୍ଦ ରାଜା) ରୂପରେ ରାଜାଙ୍କ ନଅରକୁ ଯାଇ ଫେରିଆସି ସ୍ନାନ ମଣ୍ଡପରେ ବସିବେ । ତାଟ ଲେଙ୍କା ଗୋଟିଏ ଦୁହାଁଳୀଆ ଗାଈ ଲକ୍ଷ୍ମୀ ମନ୍ଦିର ପାଖକୁ ଆଣନ୍ତି । ଭରତିଆ ଗୌଡ଼ ପୁତ୍ରଜନ୍ମ ସୁସମ୍ବାଦ ନନ୍ଦରାଜାଙ୍କୁ (ଭିତରଚ୍ଛଙ୍କୁ) ଦେବ ଓ ନନ୍ଦରାଜାଙ୍କ ଲୁଗା ଫେରକୁ ଟାଣି ଟାଣି ଲକ୍ଷ୍ମୀଙ୍କ ମନ୍ଦିରଠାକୁ ନେବ । ଏଠାରେ ନନ୍ଦ ରାଜା ଗୋଦୋହନ କରିବେ । ରୂପା ପିଙ୍ଗଣରେ ଦିଅଁମାନଙ୍କୁ ଦୁଧ ସମର୍ପଣ ଓ ପ୍ରସାଦ ଲାଗି କରାଯାଏ । ରାଶିକୋରା ମଣୋହୀ କରାଯାଏ ଓ ବନ୍ଦାପନା କରାଯାଏ । ନନ୍ଦରାଜା ପୁତ୍ରମାନଙ୍କୁ ଧରି ଜଗମୋହନର ଦୋଳାରେ ବିଜେ କରାଇବା ପରେ ରାମକୃଷ୍ଣ ଓ ମଦନମୋହନଙ୍କୁ ଦକ୍ଷିଣଘରକୁ ବାହୁଡ଼ା ବିଜେ କରନ୍ତି ଓ ନନ୍ଦୋତ୍ସବ ଶେଷ ହୁଏ । ଏହାପରେ ଭିତର ଠାକୁରମାନଙ୍କର ଅନ୍ୟାନ୍ୟ ନୀତି ବିଧି ଅନୁସାରେ ହୁଏ ।