
ଭୁବନେଶ୍ୱର, କୋଭିଡ୍ କଟକଣା ମଧ୍ୟରେ ଆସନ୍ତାକାଲି (ବୁୁଧବାର)ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ମୌସୁମୀ କାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସଦସ୍ୟ , ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ବିଧାନସଭା କର୍ମଚାରୀ ,ଅଧିକାରୀ ଓ ସାମ୍ବାଦିକ ମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି । ମନ୍ତ୍ରୀ ଓ ବିଧାୟକମାନଙ୍କର କୋଭିଡ୍ ସହ ଆଂଟିବଡି ମଧ୍ୟ ପରୀକ୍ଷା କରାଯାଇଛି । କୋଭିଡ୍ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ଯେଉଁମାନେ ଥରେ ହେଲେ କୋଭିଡ ଟିକା ନେଇନାହାଁନ୍ତି ସେମାନଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ଅଧିବେଶନ ପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ସେପ୍ଟେମ୍ୱର ୦୧ ତାରିଖ ଠାରୁ ୦୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସେଥିମଧ୍ୟରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ଅନ୍ତର୍ଭୁକ୍ତ । ସେପ୍େଟମ୍ବର ୩ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି । ୫ତାରିଖ ରବିବାର ଛୁଟି ରହିବ । ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୧.୩୦ ମିନିଟ୍ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଦିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଆରମ୍ଭ ହେବ । ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବ ଏବଂ ସେଥିପାଇଁ ୯୦ ମିନିଟ୍ ସମୟସୀମା ନିର୍ଦ୍ଧାରିତ କରାଯାଇଛି । ଭାରତୀୟ ଜନତା ଦଳ ବିଧାୟକମାନେ ସପ୍ତାହର ୦୪ ଦିନ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳ ବିଧାୟକମାନେ ମଙ୍ଗଳବାର ଏବଂ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ । ଯଦି ନିର୍ଦ୍ଧାରିତ ଦିବସରେ କୌଣସି କାରଣ ଯୋଗୁଁ ତାହା ଆଗତ ହୋଇନପାରିଲା, ତାହାହେଲେ ସମ୍ପୃକ୍ତ ଦଳ ସେ ସୁଯୋଗ ହରାଇବେ ।
କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିରାପଦ ଦୂରତ୍ୱ ରକ୍ଷା କରି ବିଧାନସଭା ଭବନ, ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରିରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଧାନସଭା ଆଲୋଚନାରେ ଅଂଶ ଗ୍ରହଣ କରିପାରିବେ । ଅତ୍ୟନ୍ତ ଆବଶ୍ୟକ ବ୍ୟତୀତ ଅନ୍ୟ ବିଧାୟକମାନଙ୍କୁ ଗୃହରେ ରିପୋର୍ଟ, ବିବରଣୀ ପ୍ରଦାନ କରାଯିବ ନାହିଁ । ବିଧେୟକ ସଂଶୋଧନ ବିଲ୍ ମନ୍ତ୍ରୀମାନଙ୍କ ଉତର ବିଧାୟକମାନଙ୍କ ଅବଗତି ପାଇଁ ସେମାନଙ୍କବାସଭବନରେ ଯୋଗାଇ ଦିଆଯିବ । ପ୍ରତ୍ୟେକ ଦିନ ଭୁବନେଶ୍ୱର ମହାନଗରନିଗମ ତରଫରୁ ବିଧାନସଭାକୁ ସାନିଟାଇଜ୍ କରାଯିବ ଏବଂ ସମସ୍ତ ବିଧାନସଭା ସଭ୍ୟ, ଅଧିକାରୀ ଏବଂ ବିଧାନସଭା ସଚ୍ଚିବାଳୟ କର୍ମଚାରୀ ଏବଂ ବିଧାନସଭାକୁ ଆଗନ୍ତୁକମାନଙ୍କୁ କରୋନା ପ୍ରତିଷେଧକ କିଟ୍ ପ୍ରଦାନ କରାଯିବ ।