ସାକ୍ଷିଗୋପାଳ, କରୋନା କଟକଣାକୁ ଅନୁପାଳନ କରି ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହେଉଛି । ଭକ୍ତ ମାନେ ମୁହଁରେ ମାସ୍କ ପରିଧାନ କରି, ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମନ୍ଦିରକୁ ଯାଇ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କୁ ଦର୍ଶନ କରୁଛନ୍ତି । ଆଜିର ଏହି ବିଶେଷ ତିଥିରେ ସାକ୍ଷୀଗୋପୀନାଥଙ୍କ ନିକଟରେ କୋରା ଭୋଗ ଲାଗି କରାଯିବାର ପରମ୍ପରା ରହିଛି । ଏହି କୋରା ମୁଖ୍ୟତଃ ରାଶି, ଗୁଡ଼, ନଡ଼ିଆ, କର୍ପୁର, ଅଳେଇଚ, ଗୋଲମରିଚ ଆଦିରେ ପ୍ରସ୍ତୁତି ହୋଇଥାଏ ।
ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଭୋର ସାଢ଼େ ୫ଟାରେ ଦ୍ୱାରଫିଟା, ପରେ ପରେ ମଙ୍ଗଳ ଆଳତୀ, ମର୍ଦ୍ଦନ, ଅବକାଶ ଓ ବେଶ ଅନୁଷ୍ଠିତ ହୋଇଥିଲା । ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ଆଦି ନୀତି ସମ୍ପନ୍ନ ହୋଇଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ସେବାୟତ ମାନେ ସେବା ପୂଜା ଜାରୀ ରଖିଛନ୍ତି । ସକାଳ ଧୂପ ପୂର୍ବରୁ ରାଜବେଶ ଅନୁଷ୍ଠିତ ହୋଇଛି । ବିଳମ୍ବିତ ରାତ୍ରରେ ତଥା ନିଶାର୍ଦ୍ଧରେ ଶ୍ରୀକୃଷ୍ଣଙ୍କ ଜନ୍ମବିଧି ଅନୁଷ୍ଠିତ ହେବ । ଠାକୁରଙ୍କ ନିକଟରେ କୋରା ଭୋଗ ଲାଗି କରାଯିବ । ଜନ୍ମଠାରୁ କୋରା ଭୋଗ ଲାଗି ପର୍ଯ୍ୟନ୍ତ ସମସ୍ତ ନୀତି ସମ୍ପନ୍ନ ହେବ । ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ସେବା ପୂଜା ଜାରୀ ରଖିଛନ୍ତି ।ଏହି ଅବସରରେ ସେବାୟତ ସଂଘ ପକ୍ଷରୁ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ବ୍ରାହ୍ମଣ ମାନେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଅଗ୍ନିରେ ଘୃତ ଢ଼ାଳି ଆହୁତି ଦେଉଛନ୍ତି । ସେହିପରି ପ୍ରତି ବର୍ଷ ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେଉଥିବା ଭଜନ କାର୍ଯ୍ୟକ୍ରମ ପ୍ରଶାସନର କରୋନା କଟକଣା ପାଇଁ ଗତ ୨ ବର୍ଷ ହେଲା ବନ୍ଦ ରହିଛି ।