-
ଆମେ କହୁନୁ, କହୁଛି ଗଣମାଧ୍ୟମ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ମୋଦି ସରକାର ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ଅନ୍ତର୍ଭୁକ୍ତ କରିବା ସହ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ କରିଛନ୍ତି । ରାଜଧାନୀ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ହେବ ବୋଲି ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ଘୋଷଣା କରିଥିଲେ । ଆଜି ମଧ୍ୟ ସ୍ମାର୍ଟ ସିଟିର ବାସ୍ତବ ଚିତ୍ରରୁ ବହୁ ଦୂରରେ ରହିଯାଇଛି ରାଜଧାନୀ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପରିତାପର ବିଷୟ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
ସୋମବାର ରାଜ୍ୟ କାର୍ଯ୍ୟାଳୟଠାରେ ‘ଆମେ କହୁନୁ, କହୁଛି ଗଣମାଧ୍ୟମ’ ଶୀର୍ଷକ ଏକ ପୁସ୍ତକକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉନ୍ମୋଚନ କରିଛନ୍ତି । ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ରାଜଧାନୀ ଏବଂ ରାଜଧାନୀବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସମ୍ବାଦପତ୍ର ଓ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦକୁ ନେଇ ଏହି ପୁସ୍ତକ ପ୍ରକାଶିତ ହୋଇଛି ।
ବିଶେଷ ଭାବେ ରାସ୍ତାଘାଟ, ଡ୍ରେନେଜ ଅବ୍ୟବସ୍ଥା, ଅସରାଏ ବର୍ଷା ହେଲେ ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହେବା, ଡେଙ୍ଗୁ ରୋଗ ସମସ୍ୟା ଆଦି ବିଭିନ୍ନ ସମସ୍ୟାକୁ ଆଧାର କରି ବିଭିନ୍ନ ସମୟରେ ଗଣମାଧ୍ୟମ ଓ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା ତଥ୍ୟକୁ ଆଧାର କରି ଏହି ପୁସ୍ତକଟି ପ୍ରସ୍ତୁତ କରାଯାଇଛି । ରାଜଧାନୀବାସୀଙ୍କ ପ୍ରତି ରାଜ୍ୟ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ ଯେଉଁ ଭଳି ଭାବେ ଅବହେଳା ପ୍ରଦର୍ଶନ କରୁଛନ୍ତି, ଏହି ପୁସ୍ତକ ମାଧ୍ୟମରେ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ କତୃପକ୍ଷଙ୍କ ଅବହେଳା ପ୍ରସଙ୍ଗରେ ରାଜଧାନୀବାସୀଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ସଭାପତି ବାବୁ ସିଂ ସୂଚନା ଦେଇ କହିଛନ୍ତି । ଆସନ୍ତା କାଲି ସ୍ୱାୟତ ଶାସନ ଦିବସ । ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଗତ ୨୧ବର୍ଷ ଶାସନରେ ରାଜ୍ୟ ସରକାର କଣ ବିକାଶମୂଳକ କାର୍ଯ୍ୟ କରିଛନ୍ତି, ତାହା ସ୍ପଷ୍ଟ କରିବାକୁ ସେ ଦାବୀ କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ବିଭାଗର ସୁଜିତ୍ କୁମାର ଦାସ୍, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ, ଦିଲ୍ଲୀପ ବେହେରା ଓ ଅଭିଷେକ ଆଚାର୍ଯ୍ୟ, ଆଇଟି ସେଲ୍ ସଂଯୋଜକ ରଶ୍ମୀରଂଜନ କାନୁନଗୋ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।