ନୂଆପଡା, କିଛି ଦିନ ହେବ ନୂଆପଡା ଜିଲ୍ଲା କୋମନା ବ୍ଲକ ଉଲଭା ଓ ଆଗ୍ରେନ ଗାଁରେ କରାଯାଇଥିବା ୧୦ ହେକ୍ଟର ଜମିର ଟସର ପୋକ ମରିଯାଉଥିବା ଅଭିଯୋଗ ହୋଇଥିଲା । ଏହାର ଅନୁଧ୍ୟାନ କରିବା ପାଇଁ ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ କ୍ଷିରୋଦ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଉଲଭା, ଆଗ୍ରେନ ଗାଁରେ ଅନେକ ଦିନ ହେବ ଟସର ଚାଷ ହୋଇ ଆସୁଛି । କିନ୍ତୁ, ଚଳିତ ବର୍ଷ କୌଣସି କାରଣରୁ କୋଷା ବାନ୍ଧିବା ସମୟରେ ହଜାର ହଜାର ଟସର ପୋକ ମରି ଯାଉଛନ୍ତି । ଏ ଘଟଣା ଜାଣିବା ପରେ ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ କ୍ଷିରୋଦ କୁମାର ବିଶ୍ବାଳଙ୍କ ସହ ଏଏଓ ସୁଧାଂଶୁ କୁମାର ସାହୁ ଏବଂ ଏଏଓ ସନ୍ତୋଷ କୁମାର ମେହେର ୩ ଜଣ ଟସର ଚାଷ ହୋଇଥିବା ସ୍ଥାନକୁ ଆସିଥିଲେ । ଟସର ଚାଷୀ ଛତର ସାଏ ମାଝୀ, ଖଗେଶ୍ବର ନାଗ, ତଥା ଟସର ସମବାୟ ସମିତି ଆଗ୍ରେନର ସୁପର ଭାଇଜର ମୋତିରାମ ନାଗଙ୍କ ସହ ଆଲୋଚନା କରିଥିଲେ । ମରି ଥିବା ଟସର ପୋକର ସାମ୍ପଲ ସଂଗ୍ରହ କରି ଓୟୁଏଟି ଭଵାନୀପାଟଣା ପରୀକ୍ଷା ପାଇଁ ପଠାଇବାକୁ ଜଣାଇ ଥିଲେ । ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାଯାଏ ଯେ, ଏହା ଏକ ଭାଇରାଲ ରୋଗ । ମୂଳ ଅଣ୍ତାରୁ ଏହା ସଂକ୍ରମିତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପରୀକ୍ଷା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଶ୍ରୀ ବିଶ୍ବାଳ ଜଣାଇଛନ୍ତି ।