ହରିଚନ୍ଦନପୁର, ମୃତ ଲୋକଙ୍କ ନାମରେ ପେନସନ୍ ଯୋଜନାରୁ ଦୀର୍ଘ ବର୍ଷ ଧରି ଭୂତ ଟଙ୍କା ଉଠାଉଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମୃତ ଲୋକଙ୍କୁ ଜୀବିତ କରି ସେମାନଙ୍କ ପେନସନ୍ ବା ଭତ୍ତା ଟଙ୍କାକୁ ଦୀର୍ଘ ବର୍ଷ ଧରି ସରପଞ୍ଚ ଓ ପିଇଓ ହଡ଼ପ କରିନେଇଥିବା ଭଳି ତଥ୍ୟ ଏବେ ପଦାକୁ ଆସିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ତେନ୍ତଳାପଶି ଗ୍ରାମପଞ୍ଚାୟତରେ ଦୀର୍ଘ ବର୍ଷ ଧରି ଏପରି ଚାଲିଥିବା ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହେଁ, ୩୩ ଜଣ ମୃତ ହିତାଧିକାରୀଙ୍କ ନାମରେ ଭତ୍ତା ଟଙ୍କାକୁ ମିଳିମିଶି ଖାଇ ଆସୁଥିଲେ ପଞ୍ଚାୟତର ପୂର୍ବତନ ପିଇଓ ଓ ସରପଞ୍ଚ ।
ସବୁଠାରୁ ବଡ଼କଥା, ଏହି ଟଙ୍କା ହଡ଼ପ କେବଳ ଜଣେ ପିଇଓ କରିନାହାଁନ୍ତି, ଏହି ଘଟଣାରେ ୩/୪ ଜଣ ପିଇଓ ସମ୍ପୃକ୍ତ ଅଛନ୍ତି । ଅର୍ଥାତ୍ ଦୀର୍ଘ ୨୦୧୧ ମସିହାରୁ ୨୦୨୦ ମସିହା ମଧ୍ୟରେ ଯେତେ ଜଣ ପିଇଓ ଏହି ପଞ୍ଚାୟତରେ କାର୍ଯ୍ୟରତ ଥିଲେ, ସମସ୍ତେ ସରପଞ୍ଚଙ୍କ ସହ ମିଶି ଭତ୍ତା ଟଙ୍କା ହଡ଼ପ କରିଥିବା ସାଂଘାତିକ ଅଭିଯୋଗ ହୋଇଛି । କିନ୍ତୁ, ଯଥା ପୂର୍ବ ତଥା ପରଂ ସଦୃଶ୍ୟ, କେହି ଜଣେ ପିଇଓ ତାଙ୍କ ଦାୟିତ୍ୱ କାଳ ସମୟରେ ଭତ୍ତା ଟଙ୍କା ହଡ଼ପ ବିଷୟ ପଦାକୁ ଆଣିବା ତ ଦୂରର କଥା, ବରଂ ଏହିଭଳି ଧର୍ତବ୍ୟ ଅପରାଧରେ କ୍ରମାଗତ ଭାବେ ସମ୍ପୃକ୍ତ ରହି ଭତ୍ତା ଟଙ୍କା ହଡ଼ପ କରି ସରକାରଙ୍କ ରାଜକୋଷକୁ ଲୁଟି ନେଇଛନ୍ତି । ସ୍ଥାନୀୟ ଅଭିଯୋଗକାରୀ ବାରମ୍ବାର ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ପରେ ଏହି ଜାଲିଆତି ଭତ୍ତା ଟଙ୍କା ଉଠାଣ ବର୍ତ୍ତମାନ ଯଦିଓ ବନ୍ଦ ଅଛି, ହେଲେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଦାବି ହୋଇଛି । ମୁଖ୍ୟ କଥା, ଭତ୍ତା ପାଉଥିବା ହିତାଧିକାରୀମାନଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ, ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପିଇଓଙ୍କ ଚଞ୍ଚକତା ଯୋଗୁଁ ମୃତ ବ୍ୟକ୍ତିମାନଙ୍କ ନାମ ଭତ୍ତା ତାଲିକାରୁ କଟାନଯାଇ, ପୂର୍ବ ଭଳି ଭତ୍ତା ଟଙ୍କା ଉଠାଣ ଚାଲୁ ରହିଥିଲା । ଯେଉଁ ଟଙ୍କାକୁ ହିତାଧିକାରୀଙ୍କ ନାମରେ ନିଜେ ପିଇଓ ଓ ସରପଞ୍ଚ ମିଶି ହଡ଼ପ କରିଥାନ୍ତି । ମୃତ ହିତାଧିକାରୀଙ୍କ ସନ୍ତାନ ମଧ୍ୟ ଏନେଇ ଅଭିଯୋଗ କରିବା ସହ ଚଞ୍ଚକତା କରି ଭତ୍ତା ଟଙ୍କା ଉଠାଇ ନେଇଥିବା ପୂର୍ବତନ ପିଇଓ ଓ ସରପଞ୍ଚଙ୍କ ବିପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ ଉକ୍ତ ପଞ୍ଚାୟତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗରୀବ ଯୋଗ୍ୟ ହିତାଧିକାରୀ ସରକାରୀ ବାବୁମାନଙ୍କ ଅବହେଳା ଓ ଖାମଖିଆଲି ମନୋଭାବରୁ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି ।
ଏହି ଘଟଣା ସମ୍ପର୍କରେ କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସକୁଙ୍କୁ ପଚାରିବାରୁ, ଘଟଣାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ହରିଚନ୍ଦନପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ବେଶ୍ ପରିଚିତ ଥିବା ବେଳେ ଏହି ବ୍ଲକର ତେନ୍ତଳାପଶି ପଞ୍ଚାୟତରେ ଏହିଭଳି ଘଟଣା ତ ଅନ୍ୟ ଗ୍ରାମପଞ୍ଚାୟତର ଅବସ୍ଥା କ’ଣ ରହିଥିବ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ରାଜସ୍ବ ଟଙ୍କା ଲୁଟିଥିବା ଓ ଗରିବଙ୍କ ସ୍ବାର୍ଥ ସହ ଖେଳ ଖେଳିଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।