ରାଉରକେଲା, ରାଉରକେଲା ଇସ୍ପାତ କାରଖାନା ଠାରୁ ଅତୀତରେ ବାସଗୃହ ନେଇଥିବା ବିଭିନ୍ନ ଅନୁଷ୍ଠାନ ଗୁଡିକ ବର୍ଷ ବର୍ଷ ଧରି ଭଡ଼ା ଦେଉ ନାହାନ୍ତି । ନୋଟିସ ପରେ ନୋଟିସ ଯାଉଛି ହେଲେ ତାର ଉତର ମିଳୁନି, ତେଣୁ ବର୍ତମାନ ସୁଦ୍ଧା ବକେୟା ପଡିଥିବା ପ୍ରାୟ ୨୨ କୋଟି ଟଙ୍କା ଆଉ ମିଳିବ ନାହିଁ ବୋଲି ଆଲୋଚନା ଯୋର ଧରିଥିବା ବେଳେ ଏହା ପଛରେ ଆରଏସପି ଇଷ୍ଟେଟ ବିଭାଗର ବିଭାଗୀୟ ବାବୁ ମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଏବେ ବିଭିନ୍ନ ମହଲରେ ଆଲୋଚନା ଚାଲିଛି । କାରଣ ଏଠି ଯିଏ ନିୟମ ମାନି ଭଡ଼ା ପଇଠ କରେ ତାକୁ ସହେଯାଗ ମିଳେନି ବରଂ ଯିଏ ଜବରଦଖଲରେ ରହି ମାସିକିଆ ଭତା ଏହି ବିଭାଗର ବାବୁ ମାନଙ୍କୁ ଦେଇ ପାରିଲା ସିଏ ହିଁ ତିଷ୍ଠିଲା ବୋଲି ବହୁ ପୁରାତନ ଆରଏସପି ଅଧିକାରୀ ମାନେ ମତ ଦେଇଛନ୍ତି । ଏହି ରୀତିରେ ଆଜି ମିଳିନଥିବା ଘର ଗୁଡିକ କିଛି ଲୋକଙ୍କ ହାତରେ ରହିଛି । ବଡ କଥା ହେଲା ଏହି ବିଭାଗ ଦିର୍ଘ ଦିନ ହେବ ସଠିକ୍ ଭାବେ କାମ କରିନଥିବାରୁ ଆରଏସପିକୁ ଆଜି ଏଭଳି ବିପଦ ପଡିଥିବା କୁହାଯାଇଛି ।
ମିଳିଥିବା ସୂଚନା ଅନୁଶାରେ, ପୁଲିସି ବିଭାଗର ୩ କୋଟି ୫୨ଲକ୍ଷ ୭ ହଜାର ୬ ଶହ ୯ ଟଙ୍କା ବକେୟାଥିବା ବେଳେ, ମିଡିଆ ହାଉସ ଗୁଡିକର ୫୦ ଲକ୍ଷ ୮୪ ହଜାର ୨୪୦ ବକେୟା ରହିଛି । ଏହା ବ୍ୟତିତ ସାମାଜିକ, ସାଂସ୍କୃତିକ, ଧାର୍ମିକ, ଏନଜିଓ ଘର ଗୁଡିକ ବାବଦକୁ ୫୨ ଲକ୍ଷ ୯୬ ହଜାର ଏବଂ ପଲିଟିକାଲ ଦଳ ଗୁଡିକର ୨୭ ଲକ୍ଷ ୨୬ ହଜାର, ଶିକ୍ଷା ବିଭାଗ ନେଇଥିବା ଘରଗୁଡିକର ୬୪ ଲକ୍ଷ ୮୯ ହଜାର, ଶ୍ରମିକ ସଂଗଠନ ନେଇଥିବା ୨୬ ଲକ୍ଷ ୮୦ହଜାର, ହୋଟେଲ, ବିବାହ ମଣ୍ଡପ, ଦୋକାନ ଗୁଡିକ ଉପରେ ୧୬ କୋଟି ୨୧ ଲକ୍ଷ ପଡି ରହିଛି । ବର୍ଷ ବର୍ଷ ଧରି ଏହି ବକେୟା ଅର୍ଥ ପଡି ରହିଛି, ଅନୁଷ୍ଠାନ ଓ ଲୋକେ ମାଗଣା ବିଜୁଳି, ପାଣି ଆଦି ବ୍ୟବହାର କରି ମଜା ନେଇ ଚାଲିଛନ୍ତି , କିନ୍ତୁ ବାସ୍ତବରେ ଭଡ଼ା ଦେଉଥିବା ଅନୁଷ୍ଠାନ ଗୁଡିକୁ ଆରଏସପି ନ୍ୟାୟ ଦେଇ ପାରୁନି । ସମ୍ପୂର୍ଣ୍ଣ ଭଡ଼ା ବିଜୁଳି ଦେଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରୁ କେତେକଙ୍କ ଘର ଜବର ଦଖଲ ହୋଇ ମାଗଣା ବିଜୁଳି ପାଣିରେ ବ୍ୟବହାର ଚାଲିଛି, କିନ୍ତୁ ବାବୁ ଅଫିସର ମାନେ ନୀରବ । ସେହିଭଳି ଭଡ଼ା ଦେଉଥିବା ଘର ଗୁଡିକ ମଧ୍ୟରୁ ଯଦି କେହି ମାସେ ୨ ମାସ ଭଡ଼ା ଦେଇନି ତାର ବିଜୁଳି କାଟି ନାଲି ଆଖି ଦେଖା ଯାଉଛି , ହେଲେ ପୁଲିସି, ନେତା, ଶ୍ରମିକ ସଂଗଠନ ଗୁଡିକୁ ଅଫିସର ମାନେ ହାତ ମାରୁ ନଥିବା କୁହାଯାଉଛି । ମାର ମାର ଭଣ୍ଡାରିଆଙ୍କୁ ମାର ନୀତିରେ ଆରଏସପିର ବାସଗୃହ ବିଭାଗ ଚାଲିଥିଲେ ବି ଆଜିଯାଏ ଏହି ବିଭାଗକୁ ସିଇଓ ମାନେ ପଦେ ହେଲେ କିଛି କହିନଥିବା ଖବର ମିଳିଛି । ଯଦି ଗୋଟିଏ ବିଭାଗରେ ଏଇ ଅବସ୍ଥା ତେବେ ସମ୍ପୂର୍ଣ୍ଣ ଆରଏସପିରେ କିପ୍ରକାର ବ୍ୟବସ୍ଥା ରହିଛି ତାହାର ଆକଳନ କରାଯାଇପାରେ । ଯଦି ବଡ ଆକାରରେ ଦରମା ମିଳୁଛି ତେବେ ଆରଏସପିର ସ୍ୱାର୍ଥକୁ ନେଇ ଏହି ବାବୁ ମାନେ କାହିଁକି ଆଜିଯାଏ ନୀରବ ତାହା ତଦନ୍ତ ସାପେକ୍ଷ ।