ଖୋର୍ଦ୍ଧା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଜଣେ ଗରିବ ରୋଗୀର ୨୦ ହଜାର ଟଙ୍କା ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ହେଉଛି ।ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ଗୁଆଲଡିହ ଗ୍ରାମର ବାଦଲ ଦାସ (୨୨)ଙ୍କ ଝାଡ଼ାବାନ୍ତି ହେବାରୁ ପରିବାର ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ବାଦଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ବାଦଲଙ୍କ ମାତା ପିତା ୨୦ ହଜାର ଟଙ୍କା ନେଇ ମେଡିକାଲକୁ ଆସିଥିଲେ । ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଏକ ବ୍ୟାଗରେ ରଖିଥିଲେ ।ପରେ ପୁଅ ବାଦଲର ଲୁଗାପଟା ଧୋଇବା ପାଇଁ ତାଙ୍କ ମା ଜୟନ୍ତୀ ଟଙ୍କା ବ୍ୟାଗକୁ ଶଜ୍ୟା ଉପରେ ରଖି ମେଡିକାଲ ଶୌଚାଳୟକୁ ଯାଇଥିଲେ । ହେଲେ ମା’ ଲୁଗା ସଫା କରି ଆସିବା ପରେ ବ୍ୟାଗରେ ଟଙ୍କା ନଥିବାର ଦେଖିବାକୁ ପାଇଥିଲେ ।
ଦମ୍ପତି ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାବେଳେ ବହୁ କଷ୍ଟରେ ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଥିଲେ । ତେବେ ଜୟନ୍ତୀ ଟଙ୍କା ଗଣିବା ସମୟରେ ନିକଟତମ ଶଜ୍ୟାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଦେଖିଥିବାର କହିଛନ୍ତି ଶିବରାମ । କିନ୍ତୁ ସମ୍ପୃକ୍ତ ବେଡ଼ରେ ଚିକିତ୍ସାଧିନ ରୋଗୀ ଲୁଟ୍ ପରେ ମେଡିକାଲରେ ନଥିଲେ ବୋଲି ଅଭିଯୋଗ କରୁଛନ୍ତି । ଏ ନେଇ ବାଣପୁର ମେଡିକାଲ ଅଧିକାରୀ ଡ଼ା. ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାର କହିଛନ୍ତି । ଅନୁରୂପ ଭାବେ ବାଦଲଙ୍କ ପରିବାର ପକ୍ଷରୁ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ତେବେ ମେଡିକାଲ ପରିସର ଭିତରୁ ଚୋରି ହେବା ଘଟଣା ବିଭାଗୀୟ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।