-
ଦେଶ ପ୍ରତି କର୍ତବ୍ୟ ନିଭାଇବାକୁ ଆହ୍ୱାନ
କେନ୍ଦୁଝର, ଏକ ସୁନ୍ଦର ଓ ସମୃଦ୍ଧ ଦେଶ ଗଠନ ପାଇଁ ସମସ୍ତେ ନିଜର କର୍ତବ୍ୟ ନିଭାନ୍ତୁ । ଜିଲ୍ଲା ପ୍ରଶାସନ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ‘ଆଜାଦୀ ସପ୍ତାହ’ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ସ୍ୱତନ୍ତ୍ର ସମ୍ମିଳନୀରେ ଅତିଥି ଓ ବକ୍ତାମାନେ ଏହି ଆହ୍ୱାନ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଯିଏ ଯେଉଁ ସ୍ତରରେ ଥାଉନା କାହିଁକି ସମସ୍ତେ ଦେଶ ମାତୃକା ପ୍ରତି ନିଜର କର୍ତବ୍ୟ ସମ୍ପାଦନ କଲେ ଏକ ସଶକ୍ତ ଓ ସମୃଦ୍ଧ ଦେଶ ଗଠନ ହୋଇପାରିବ । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ଯୋଗଜନ୍ମା ମହାନାୟକ ବରପୁତ୍ରମାନେ ଅଦମନୀୟ ସାହସ, ତ୍ୟାଗ ଓ ବଳିଦାନ ପ୍ରତି ବଦଳରେ ଆମ ପାଇଁ ସ୍ୱାଧିନତା ଆଣି ଦେଇଛନ୍ତି, ସେମାନେ ଚିରକାଳ ନମସ୍ୟ ହୋଇ ରହିଛନ୍ତି । ଏଣୁ ସେମାନଙ୍କ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଦେଶ ଗଠନରେ ନିଜର ଯୋଗଦାନ ରଖିବା ସହ ଉତର ପୀଢିଙ୍କୁ ଦିଗଦର୍ଶନ ଦେବାକୁ ସେ ଆହ୍ୱାନ ଜଣାଇଥିଲେ । ସ୍ୱାଧିନତା ଆମକୁ ଏତେ ସହଜରେ ମିଳିନାହିଁ । ଏଣୁ ସମସ୍ତେ ଏକତା ଓ ଭାଇଚାରାର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଦେଶର ଏକତା, ଅଖଣ୍ଡତାକୁ ଚିର ଜାଜୁଲ୍ୟମାନ ରଖିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପ୍ରେରଣା ଯୋଗାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ କହିଥିଲେ ।
ନିଜ ଅଭିଭାଷଣରେ ସମ୍ମିଳନୀର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ନାୟକ କହିଥିଲେ ଯେ, ବିଶ୍ୱରେ ଭାରତର ମର୍ଯ୍ୟାଦାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଏବଂ ଏଥି ନିମନ୍ତେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ଦିଗବାରେଣ୍ୟ ପରି କାମ କରିବ । ସ୍ୱାଧିନତାର ୭୫ ବର୍ଷ ମଧ୍ୟରେ ଭାରତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜ୍ଞାନ ବିଜ୍ଞାନ, କାରିଗରୀ କୌଶଳ, ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି କରିଛି । ତଥାପି ବିଶ୍ୱ ଦରବାରରେ ଭାରତକୁ ଅଧିକ ମଜବୁତ କରିବା ପାଇଁ ନକସା ଆଙ୍କନ କରିବା ସହିତ ଏହାର ରୂପରେଖ ଦେବା ନିମନ୍ତେ ଏ ପ୍ରକାର କାର୍ଯ୍ୟକ୍ରମ ଉତ୍ସାହିତ କରିବ । ଭାରତର ସମୃଦ୍ଧ ଇତିହାସକୁ ମନେ ପକାଇ ଭବିଷ୍ୟତ ପାଇଁ ମାର୍ଗନିର୍ଣ୍ଣୟ କ୍ଷେତ୍ରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ । ଭାରତର ସ୍ୱାଧିନତା ହାସଲ କ୍ଷେତ୍ରରେ ଅନେକ ଦୁଃଖଦ ଅନୁଭୂତି ଜାଣିବା ସହିତ ସୁଖଦ ଭବିଷ୍ୟତ ସନ୍ଧାନରେ ଆମକୁ ନିଷ୍ଠାର ସହ କାମ କରିବାକୁ ପଡିବ । ଆମ ସ୍ୱାଧିନତା ସଂଗ୍ରାମର ଆଦର୍ଶ, ଆମ ସମ୍ବିଧାନ, ଆମ ଗଣତନ୍ତ୍ର, ଆମ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ବିଶ୍ୱକୁ ଅମୃତର ସ୍ପର୍ଶ ଦେଇଛି ଏବଂ ଭାରତ ବିଶ୍ୱ ଗୁରୁ ହୋଇପାରିଛି । ଏଣୁ ଭାରତର ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଆଜାଦୀ କା ଅମୃତ ମହୋତ୍ସବର ବାର୍ତା ସମସ୍ତଙ୍କ ନିକଟରେ ପହଂଚାଇବା ପାଇଁ ଆହ୍ୱାନ ଜଣାଇଥିଲେ ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜୟଶ୍ରୀ ବେଉରା ଏବଂ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ (କେନ୍ଦୁଝର ଜିଲ୍ଲା) ପିନାକୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଛଳରେ କହିଥିଲେ ଯେ, ତ୍ୟାଗର ଭିତିଭୂମି ଉପରେ ଭାରତର ସ୍ୱାଧିନତା ପ୍ରତିଷ୍ଠିତ । ଏଣୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶ ପାଇଁ, ଜାତି ପାଇଁ ସମସ୍ତ ଭାରତୀୟ ତ୍ୟାଗ ସ୍ୱୀକାର କରି କର୍ତବ୍ୟ ସମ୍ପାଦନ କଲେ ସୁନାର ଭାରତ ଗଠନ ହୋଇପାରିବ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ପ୍ରାରମ୍ଭରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆଜାଦି ସପ୍ତାହ ପାଳନ ପରିପ୍ରେକ୍ଷୀରେ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ପରେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉପ ନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ, କେନ୍ଦୁଝର ସଂଜୀବ ବାରିକ ସମ୍ମିଳନୀର ସଂଯୋଜନା କରିଥିଲେ । ଏହା ପରେ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ସାଧାରଣଜ୍ଞାନ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ପଢିଆରୀଙ୍କୁ ପ୍ରମାଣ ପତ୍ର, ଟ୍ରଫି ଏବଂ ପୁରସ୍କାର ଅର୍ଥ ରାଶି ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ-୧୯ ଗାଇଡ ଲାଇନ୍ ଅନୁପାଳନ ପୂର୍ବକ ଉକ୍ତ ସମ୍ମିଳନୀ ଆୟୋଜିତ ହୋଇଥିଲା ।