ମାଲକାନଗିରି, ନୂଆଦିଲ୍ଲୀ ସ୍ଥିତ ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ଓଡିଶା ଗସ୍ତରେ ଆସି ମାଲକାନଗିରି ସୀମାନ୍ତ ମୋଟୁ ଠାରେ ପହଞ୍ଚି ଥିଲେ । ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ନାୟକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯିବା ସହ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଫଳରେ ମାଲକାନଗିରି ଜିଲ୍ଲାର କେଉଁ କେଉଁ ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବ ବୁଲାଇ ଦେଖାଇଥିଲେ । ମୋଟୁ ଅଞ୍ଚଳର ପୁସୁଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବୈଠକ ଗୃହରେ ଏକ ବୈଠକ କରି ପ୍ରକଳ୍ପ ଦ୍ବାରା ସାମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକମାନଙ୍କ ସହ ଆଲୋଚନା କରିଥିଲେ, ପରେ ସେ ଉକ୍ତ ପଞ୍ଚାୟତର ପେଟା ଗ୍ରାମକୁ ମଧ୍ୟ ଗସ୍ତ କରି ବିଭିନ୍ନ ସ୍ଥିତିର ଅନୁଧ୍ୟାନ କରିଥିଲେ । ପରେ ମାଲଭରମ ପଞ୍ଚାୟତର ନୀଲା କୋଟା, କମାରଗୁଡା ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ମୁଖ୍ୟତଃ ପୋଲାଭରମ ପ୍ରକଳ୍ପ ସକାଶେ କେଉଁ କେଉଁ ଅଞ୍ଚଳ ଜଳମଗ୍ନ ହେବ ଓ ଏହାଦ୍ବାରା କେତେଲୋକ ବିସ୍ଥାପିତ ହେବେ ତାହାର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ, ଉପରୋକ୍ତ ବିଷୟରେ କେନ୍ଦ୍ର ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ।
ଏହି ଅବସରରେ ପିପୁଲ ଏଗେନେଷ୍ଟ ପୋଲାଭରମ୍ ପ୍ରୋଜେକ୍ଟ (ପିଏପିପି) ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଭାକର ହନ୍ତାଳ କମିଶନରଙ୍କୁ ପୋଲାଭରମ ପ୍ରକଳ୍ପ ଯୋଗୁଁ ଚାରିଟି ରାଜ୍ୟରେ କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷ ଜମି ଓ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କମିଶନରଙ୍କ ସହ ଜିଲ୍ଲାପାଳ ଵିଶାଲ ସିଂ, ବିଧାୟକ ଆଦିତ୍ୟ ମାଢି, ମୋଟୁ ତହସିଲଦାର ଶଶାଙ୍କ ମିଶ୍ର, କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା ଓ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।