ଭୁବନେଶ୍ୱର, ଓଡ଼ିଶା ପ୍ରଦେଶର ଉପାନ୍ତ ଅଂଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ ତଥା ତାହାର ପ୍ରତିକାର ପାଇଁ ସୁପାରିଶ କରିବାକୁ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭା ପ୍ରକୋଷ୍ଠ ୫୯ରେ ଅନୁଷ୍ଠିତ ଉକ୍ତ ବୈଠକରେ ସୀମାନ୍ତରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ବିଧାନସଭା ଅଧିବେଶନ ପରେ କୋଭିଡ୍ ସ୍ଥିତିର ଉନ୍ନତି ହେଲେ ଏଥିପାଇଁ ଗଠିତ ସାତଟି ସବ୍-କମିଟି ବିଭିନ୍ନ ରାଜ୍ୟକୁ ଗସ୍ତରେ ଯାଇ ସେଠାକାର ବାସ୍ତବ ସ୍ଥିତି ଆକଳନ କରିବେ ଏବଂ ଓଡ଼ିଆମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ସହ ଆଲୋଚନା କରିବେ । ସୀମାନ୍ଧ୍ର ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ତେଲେଙ୍ଗାନା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଛତିଶଗଡ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ଝାଡଖଣ୍ଡ ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂ, ପଶ୍ଚିମବଙ୍ଗ ପାଇଁ ବିଧାୟକ ଅନନ୍ତ ଦାସ, ଗୁଜୁରାଟ ଓ ମହାରାଷ୍ଟ୍ର ପାଇଁ ଉପବାଚସ୍ପତି ରଜନୀକାନ୍ତ ସିଂ, କର୍ଣ୍ଣାଟକ ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍-କମିଟି ସମ୍ପୃକ୍ତ ରାଜ୍ୟ ଗସ୍ତରେ ଯିବେ । ଓଡ଼ିଶା ପ୍ରଦେଶର ପଡୋଶୀ ରାଜ୍ୟ ସୀମାକୁ ଲାଗିଥିବା ଜିଲ୍ଲାମାନଙ୍କରୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ ମଧ୍ୟ ଉକ୍ତ ସବ୍-କମିଟିର ସଭ୍ୟ ରୂପେ ରଖିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।