ଭୁବନେଶ୍ୱର, ଓଡ଼ିଶାରେ ଶାସକ ଦଳ ବିଜେଡ଼ି ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାରେ ମିଛ ଅଭିଯୋଗ ଆଣିବା ସହ ରାଜନୀତି କାର୍ଡ ଖେଳୁଛି ଏବଂ ଚାଷୀ ମାନଙ୍କୁ ଭଣ୍ଡାଇବାର କାର୍ଯ୍ୟ କରୁଛି । ବିଜେଡ଼ି ସରକାର ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ବଂଚିତ କରିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଥ୍ୟା ପ୍ରଚାର କରୁଛି ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ ।
ଶ୍ରୀମହାଲିଙ୍ଗ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହେବା ଦିନରୁ ଓଡ଼ିଶାର ପାଖାପାଖି ୧.୭ କୋଟି ଚାଷୀ ୬୦ ଲକ୍ଷ ହେକ୍ଟର ଜମି ପାଇଁ ମୋଟ ୩୫ ହଜାର ୫୨୬.୬୦ କୋଟି ଟଙ୍କାର ବୀମା କରିଛନ୍ତି । ଓଡ଼ିଶାରେ ଚାଷୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୭୦୨.୪୩ କୋଟି ଟଙ୍କା ପ୍ରମିୟମ ପୈଠ କରାଯାଇଛି । ପରବର୍ତୀ ସମୟରେ ୨୭.୮୮ ଲକ୍ଷ ଚାଷୀଙ୍କ ପକ୍ଷରୁ ୪୬୦୦.୭୫ କୋଟି ଟଙ୍କା ଦେବା ପାଇଁ ଆବେଦନ କରାଯାଇଛି । ଯାହା ପ୍ରିମିୟମ ଠାରୁ ୬ ଗୁଣା ଅଧିକ । ଏହି ଯୋଜନା ଅଧୀନରେ ବୀମା ପାଇଁ ଆବେଦନ କରିଥିବା ଏକ ଚତୁର୍ଥାଂଶ ଚାଷୀଙ୍କୁ ପୈଠ କରାଯାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆରୋପ ଲଗାଇବାରେ କିଛି ସତ୍ୟତା ନାହିଁ । ରାଜ୍ୟ ସରକାର ମାନେ ହିଁ ବୀମା କମ୍ପାନୀ ଚୟନ କରନ୍ତି । ତେବେ ସସ୍ମିତ ପାତ୍ର ରାଜ୍ୟ ସରକାରଙ୍କୁ ପଚାରିବା କଥା ଯେ ଆପଣ କେଉଁ କେଉଁ କମ୍ପାନୀ ଚୟନ କରିଛନ୍ତି ସେମାନେ ଚାଷୀଙ୍କୁ ଟଙ୍କା ଦେଇପାରୁନାହାନ୍ତି ।
ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସାମିଲ ହେବାରେ ସର୍ବବୃହତ ଫସଲ ବୀମା ଯୋଜନା ଏବଂ ପ୍ରିମିୟମରେ ତୃତୀୟ ବୃହତ ଯୋଜନା । ୨୦୧୬-୧୭ ରେ ଏହି ଯୋଜନା ଆରମ୍ଭ ହେବା ପର ଠାରୁ ଦେଶର ୨୩ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରାୟ ୨୧ କୋଟି ହେକ୍ଟର ଜମି ପାଇଁ ମୋଟ ୮.୫୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ବୀମା କରିଛନ୍ତି । ଚାଷୀମାନେ ଏହି ଯୋଜନାରେ ବିଭିନ୍ନ ବୀମା କମ୍ପାନୀଙ୍କୁ ୧୭ ହଜାର ୫୭୭ କୋଟି ଟଙ୍କା ପ୍ରିମିୟମ ଦେଇଥିଲେ । ତେବେ ପରେ ଫସଲ ନଷ୍ଟ ପାଇଁ ବୀମା ଆକାରରେ ଆବେଦନ କରାଯାଇଥିବା ୭.୮ କୋଟି ଚାଷୀ ୯୨ ହଜାର ୮୬୨ କୋଟି ଟଙ୍କା ପ୍ରଦାନ କରିବାକୁ କ୍ଲେମ୍ କରିଛନ୍ତି । ଯାହା ଚାଷୀଙ୍କ ଦ୍ୱାରା ପୈଠ ହୋଇଥିବା ପ୍ରିମିୟମର ୫ ଗୁଣା ଅଧିକ । ଫସଲ ନଷ୍ଟ ପାଇଁ ଦାବୀ କରାଯାଇଥିବା ୯୫ ହଜାର ୪୩ କୋଟି ଟଙ୍କାରୁ ୯୨ ହଜାର ୮୬୨ ଟଙ୍କା ପ୍ରଦାନ କରାଯାଇସାରିଛି, ଯାହା ୯୭.୭୧ ପ୍ରତିଶତ ବୋଲି ଶ୍ରୀ ମହାଲିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାଲିଙ୍ଗ୍ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ହିତେଶ ମହାପାତ୍ର, ଅଶୋକ ମହାନ୍ତି ଏବଂ ସୁନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।