ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ପୌର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ଆବେଦନକୁ ବିଚାର କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ୪ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକ, ପୁରୀ ଓ ଭୁବନେଶ୍ୱରରେ ପୌରାଂଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା । ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା । କିନ୍ତୁ ଇତି ମଧ୍ୟରେ ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଉ ନାହିଁ । ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିଶନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।