ପାରାଦୀପ – ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ପଶିଥିଲେ ଅନେକ ସନ୍ଦିଗ୍ଧ | ଖବରପାଇ ଚତୁର୍ପାର୍ଶ୍ବକୁ ଘେରି ରହିଲେ ଏନ୍.ଏସ୍.ଜି କମାଣ୍ଡୋ | ଚାଲିଲା ସର୍ଚ୍ଚ ଅପରେସନ୍ | ପ୍ରାୟ 200 କମାଣ୍ଡୋ ପହଁଚି ଚଳାଇଲେ ମକଡ୍ରିଲ୍ | ଘଟଣା ହେଉଛି 24 ତାରିଖ ରାତି ପ୍ରାୟ ଆଠଟା | ଖବର ମିଳିଲା ସନ୍ଦିଗ୍ଧଙ୍କ କବଜାରେ ରହିଛି ପାରାଦୀପ ବନ୍ଦର ପ୍ରଶାସନିକ ଭବନ | ତେଣୁ ଉକ୍ତ ଅପରେସନରେ ସାମିଲ୍ ହୋଇଥିଲେ ସି.ଆଇ.ଏସ୍.ଏଫ୍. , ଅଗ୍ନିଶମ ବାହିନୀ, ଓଡିଶା ପୋଲିସ, ଓଡ୍ରାଫ୍ ଟିମ୍, କୋଷ୍ଟଗାର୍ଡ, ଆମ୍ବୁଲାନ୍ସ ଏବଂ କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବିଭାଗ | ପ୍ରାୟ 200 ଏନ୍.ଏସ୍.ଜି. କମାଣ୍ଡୋ ଏହି ଅପରେସନରେ ସାମିଲ ହୋଇଥିବାବେଳେ ଭିଆଇପି ରୋଡ୍ କୁ ନାକାବନ୍ଦୀ କରି ଦେଇଥିଲେ | ପ୍ରଶାସନିକ ଭବନ ନିକଟବର୍ତ୍ତି ରାସ୍ତାରେ କାହାରିକୁ ଛାଡି ଦିଆଯାଇ ନଥିଲା | ପ୍ରବଳ ବର୍ଷା ସତ୍ବେ ଗୁରୁବାର ସଂଧ୍ୟାରେ ଆରମ୍ଭ ହୋଇଥିଲା ମକଡ୍ରିଲ୍ | ସୁରକ୍ଷାକର୍ମୀଙ୍କ ଭିତରୁ କେତେଜଣ ଆତଙ୍କବାଦୀ ବେଶରେ ପ୍ରଶାସନିକ ଭବନ ଭିତରେ ପଶି କିଛି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ମୁଣ୍ଡ ଜାମିନୀ ରଖି ଆତଙ୍କ ସୃଷ୍ଟି କରିଥିଲେ | ସୂଚନା ପାଇ ତତକ୍ଷଣାତ୍ ପ୍ରାୟ 200 ଏନ୍.ଏସ୍.ଜି. କମାଣ୍ଡୋ ପ୍ରଶାସନିକ ଭବନ ଭିତରକୁ ପଶି ସନ୍ଦିଗ୍ଧ ମାନଙ୍କୁ କାବୁ କରିଥିଲେ | ପାରାଦୀପରେ ବୃହତ ବନ୍ଦର ସମେତ ବଡବଡ ଶିଳ୍ପାନୁଷ୍ଠାନ ଗଢି ଉଠିଥିବାବେଳେ ଆତଙ୍କବାଦୀଙ୍କ ଟାର୍ଗେଟ୍ ଦୃଷ୍ଟିରୁ ଏହା ଅତ୍ୟନ୍ତ ସମ୍ବେଦନଶିଳ | ବଙ୍ଗୋପସାଗର ଦେଇ ଜଳପଥରେ ପାରାଦୀପକୁ ଅନୁପ୍ରବେଶ ସମ୍ଭାବନା ମଧ୍ୟ ଯଥେଷ୍ଟ | ତେଣୁ ଏନ୍.ଏସ୍.ଜି. କମାଣ୍ଡୋଙ୍କ ଦ୍ବାରା ଏଭଳି ମକଡ୍ରିଲ୍ ର ଯଥେଷ୍ଟ ଆବଶ୍ୟକତା ରହିଛି | ପାରାଦୀପରେ ପ୍ରଥମଥର ପାଇଁ ଏଭଳି ମକଡ୍ରିଲ୍ ହୋଇଛି | ତେବେ ପ୍ରବଳ ବର୍ଷା ରାତ୍ରିରେ ହଠାତ୍ ଏଭଳି ଅପରେସନ୍ ଯୋଗୁ ତଟସ୍ଥ ହୋଇଯାଇଥିଲେ ସହରବାସୀ ।
Related Stories
November 25, 2024