ମାଲକାନଗିରି, ମାଲକାନଗିରିରେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା, ଶେଷରେ ରଦ୍ଦ ହେଲା ଟେଣ୍ଡର । ତତ୍କାଳୀନ ଜିଲ୍ଲାପାଳ ୟଦୁଲା ବିଜୟ ଏହି ଟେଣ୍ଡେର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ସେତେବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝି ଅଭିଯୋଗ କରିଥିଲେ । ଭିଜି ଗ୍ରାନାଇଟର ମାଲିକ ବେଣୁଗୋପାଲ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ ଟି ଖଣି ପାଇଥିଲେ । ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା ।
ଯାହାକୁ ନେଇ ପୂର୍ବତନ ଜିଲ୍ଲାପାଳ ୟଦୁଲା ବିଜୟ ଆସିଥିଲେ ବିବାଦ ଘେରକୁ ଓ ରାଜ୍ୟ ସରକାର ତାଙ୍କର ବଦଳି କରିଥିଲେ । ଏହାପରେ ତଦନ୍ତ କରାଯାଇ ବେଣୁଗୋପାଲ ଦାଖଲ କରିଥିବା ସଲବେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ୍ କରାଯାଇଥିଲା । ଏହି ଟେଣ୍ଡେର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲା । ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଜିଲ୍ଲାପାଳ ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ଜାଣିବାକୁପାଇଥିଲେ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସୁପାରିଶ କ୍ରମେ ଏହି ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଟେଣ୍ଡର ବାତିଲ୍ ପରେ ଏହା ପଛରେ ହାତ ଥିବା ସରକାରୀ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ ।