-
୩ ଲକ୍ଷ ୭୦ ହଜାର ଟଙ୍କା ଉଦ୍ଧାର, ଅଭିଯୁକ୍ତ ଗିରଫ
ଗଞ୍ଜାମ, ବ୍ରହ୍ମପୁର ବଡବଜାର ଥାନା ପୋଲିସ ଲୁଟ୍ ହୋଇଥିବା ୪ ଲକ୍ଷ ଟଙ୍କାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଉଦ୍ଧାର କରିଛି । ଘଟଣାରେ ଜଡ଼ିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଦ୍ଧାର ହୋଇଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଏତଲାକାରୀଙ୍କୁ ଫେରସ୍ତ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରଜନଗର ତୃତୀୟ ଲେନ୍ ର ଏସ. ଦୀନବନ୍ଧୁ ରାଓ (୪୨) । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୧୭୩/୨୧ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିଲା ।
ଲୁଟ୍ ରେ ବ୍ୟବହୃତ ବାଇକ୍ ନଂ ଓଆର୦୭-ଆର୮୪୬୫ କୁ ପୋଲିସ ଜବତ କରିଛି । ଗତ ୨୦ ତାରିଖରେ ବଡବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ଅବସରପ୍ରାପ୍ତ ବିଏସଏନଏଲ କର୍ମଚାରୀ ବାବୁ ରାଓ ଘଡ଼େଇ (୬୨)ଙ୍କ ସ୍କୁଟି ଡିକିରୁ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିଲା । ବାବୁ ରାଓ ଏଲଆଇସି ପଲିସି ବାବଦ ଟଙ୍କା ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଉଠାଇ ନିଜ ସ୍କୁଟି ନଂ ଓଡ଼ି୦୭-ଆର୦୬୭୭ ର ଡିକିରେ ରଖି ଶାଳକଙ୍କ ସହିତ ଆସିକା ରୋଡ଼ ଗିରି ମାର୍କେଟ ଛକ ଠାରେ ଅଟକି ଥିଲେ । ଦୁହେଁ ନିକଟସ୍ଥ ଦୋକାନକୁ ଯାଇଥିବା ବେଳେ ଦୀନବନ୍ଧୁ ଆସି ଡ଼ିକିରୁ କୌଶଳ କ୍ରମେ ଟଙ୍କା ଲୁଟି ନେଇଥିଲେ । ତଦନ୍ତ ବେଳେ ପୋଲିସ ସିସିଟିଭି ଫୁଟେଜ୍ ଯାଂଚ୍ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରି କୋର୍ଟଚାଲାଣ କରିଛି ।