ଭୁବନେଶ୍ୱର, ରାଜ୍ୟର ଯେଉଁ ଜିଲ୍ଲାରେ କମ୍ ବର୍ଷା ହୋଇଛି ସେଠାରେ ଉଠା ଜଳସେଚନ ମାଧ୍ୟମରେ ଜଳ ଯୋଗାଯିବ । ପ୍ରତି ପାଣି ପଂଚାୟତରେ ଜଳ ଯୋଗାଣକୁ ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହେବ । କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ କାମ ଯୋଗାଇ ଦିଆଯିବ ବୋଲି କୃଷି ସଚିବ ଏସ କେ ବଶିଷ୍ଟ ସୂଚନା ଦେଇଛନ୍ତି ।
ସୋମବାର ଦିନ ରାଜ୍ୟରେ ନିଅଂଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ ୧୫ ଜିଲ୍ଲାର ୩୦ ଟି ବ୍ଲକରେ ସ୍ୱାଭାବିକଠୁ କମ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଲିଫ୍ଟ ଇରିଗେସନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଂଟ ଅଛି, ସେଠାରେ ପ୍ରତି ପାଣି ପଂଚାୟତରେ ଆକ୍ସନ ପ୍ଲାନ କରାଯିବ । ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।