● ଦୁଇ କୋଟି ଟଙ୍କାର ବାଣ ବେପାର ଆଶା ଓ ଆଶଙ୍କା ଭିତରେ
● ଆଜି ବି ବର୍ଷା ଛାଡିବାର ନାଁଗନ୍ଧ ନେଉନି
ଦୋକାନ
● ଦୁଇଟି ପଡ଼ିଆରେ ୮୭ଟି ବାଣ ଦୋକାନ ଖୋଲିବାକୁ ପାଇଛନ୍ତି ଲାଇସେନ୍ସ
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ଲଘୁଚାପ ଜନିତ ଲଗାଣ ବର୍ଷା ବାଲେଶ୍ଵର ବାଣ ବ୍ୟବସାୟୀଙ୍କ ଆଶା ଓ ସ୍ଵପ୍ନକୁ ଚୁର୍ମାର୍ କରିଦେଇଛି। ଗତ କାଲି ଠାରୁ ବାଲେଶ୍ଵରରେ ପ୍ରବଳ ବର୍ଷା ଆରମ୍ଭ ହେଇ ଆଜି ସନ୍ଧ୍ୟା ସୁଦ୍ଧା ଛାଡିନଥିବାରୁ ଆଜି ଠାରୁ ଆଇଟିଆଇ ଛକ ପଡିଆ ଓ ଜେଲରୋଡ୍ ସ୍ଥିତ ପୁରୁଣା ଷ୍ଟାଡିୟମ ପଡିଆରେ ଖୋଲା ହେବାକୁ ଥିବା ବାଣ ଦୋକାନ ଖୋଲା ହୋଇପାରିନାହିଁ। ଏହାକୁ ନେଇ ବାଣ ବ୍ୟବସାୟୀ ମାନେ ମହା ଚିନ୍ତାରେ ପଡିଛନ୍ତି।
ଗୋଟିଏ ଦିନ ପରେ ସବୁଠି ପାଳନ ହେବ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି। ସେଥିପାଇଁ ବାଲେଶ୍ବର ସହରରେ ମଧ୍ୟ ଦୀପାବଳିକୁ ଜୋରଦାରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର ଲଘୁଚାପ ଜନିତ ବର୍ଷା ଧୋଇଦେଇଛି ଦୀପାବଳିର ସବୁ ଉତ୍ସାହ ଓ ଆନନ୍ଦ। ବର୍ଷାରେ ବେହାଲ୍ ବାଲେଶ୍ବର ସହରର ଅବସ୍ଥା ଜଳାର୍ଣ୍ଣବ। ଏହା ବାଣ
ବ୍ୟବସାୟୀଙ୍କ ଉପରେ ଶକ୍ତ ପ୍ରହାର କହିଲେ ଭୁଲ୍ ହେବନାହିଁ।
ଦୁଇ ଦିନ ତଳେ ବାଣ ବ୍ୟବସାୟୀ ମାନେ ବେପାର ପାଇଁ ପୁରୁଣା ଷ୍ଟାଡିୟମ ଏବଂ ଆଇଟିଅାଇ ଛକ ପଡ଼ିଅାରେ ଷ୍ଟଲ୍ ଲଗାଇଥିବା ବେଳେ ଅଚାନକ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ବ୍ୟବସାୟ ଆରମ୍ଭ ସୁଦ୍ଧା ହୋଇପାରିନି। ଅନେକଙ୍କର ଦୋକାନ ଷ୍ଟ୍ରକଚର୍ ମଧ୍ୟ ସଂପୂର୍ଣ୍ଣ ହୋଇପାରିନି। ଆଜି ଠାରୁ ହିଁ ଦୁଇଟି ପଡ଼ିଆରେ ବିଧିବଦ୍ଧ ଭାବରେ ଆରମ୍ଭ ହେବାର ଥିଲା ବାଣ ବ୍ୟବସାୟ। ମାତ୍ର ବର୍ଷା ଯୋଗୁଁ ବ୍ୟବସାୟୀମାନେ ହାତଗୋଡ଼ି ବାନ୍ଧି ବସିଛନ୍ତି। ପ୍ରତିବର୍ଷ କିଛିନା କିଛି ସମସ୍ୟା ତାଙ୍କ ବ୍ୟବସାୟରେ ମାନ୍ଦା ଥିବା ବ୍ୟବସାୟୀମାନେ କହିଛନ୍ତି। ୨୦୧୬ ରେ ପରମିଟ ପଡ଼ିଆରେ ବସିଥିବା ବାଣ ଦୋକାନୀଙ୍କୁ ୨୦୧୭ ମସିହାରେ ମିସନ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ପୁଣି ୨୦୧୮ରେ ମିସନ ପଡ଼ିଆରେ ଜମି ବିବାଦ ଯୋଗୁଁ ସେଠାରେ ବସୁଥିବା ୬୦ଟି ବାଣ ଦୋକାନୀଙ୍କୁ ପୁରୁଣା ଷ୍ଟାଡିୟମରେ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ବାକି ପ୍ରାୟ ୧୪ଟି ବାଣ ଦୋକାନ ଆଇଟିଆଇ ଛକ ପଡ଼ିଆରେ ବସିଥିଲେ।
ଚଳିତ ବର୍ଷ ପୁରୁଣା ଷ୍ଟାଡିୟମରେ
୬୫ ଏବଂ ଆଇଟିଆଇ ଛକ ପଡ଼ିଆରେ ୨୨ଟି ବାଣ ଦୋକାନ ଖୋଲିବା ନେଇ ସୂଚନା ଅଛି ଗଣମାଧ୍ୟମ ପାଖରେ। ସେଥିପାଇଁ ବ୍ୟବସାୟୀମାନେ ପଡ଼ିଆରେ ଷ୍ଟଲ୍ ନିର୍ମାଣ ବି ଆରମ୍ଭ କରିଦେଇଥିଲେ। ମାତ୍ର
ଦୁଇ ଦିନ ଧରି ଲାଗିଥିବା ଲଗାତାର ବର୍ଷା ବାଣ ବେପାର ଉପରେ ପକାଇଛି ପ୍ରହାର। ଭାଙ୍ଗି ଯାଇଛି ବ୍ୟବସାୟୀଙ୍କ ମେରୁଦଣ୍ଡ। ସୂଚନା ଅନୁସାରେ ଚଳିତ ବର୍ଷ ହାରାହାରି ୩ କୋଟି ଟଙ୍କାର ବାଣ ବାଲେଶ୍ବର ସହରରକୁ ଆସିଛି। ପୂର୍ବ ବର୍ଷ ଅପେକ୍ଷା ନୂଆ ନୂଆ ବାଣ ମଧ୍ୟ ଆସିଛି। ମାତ୍ର ଏ ପର୍ଯ୍ୟନ୍ତ ବାଣ ବେପାର ଆରମ୍ଭ ହୋଇପାରିନାହିଁ। ସେହିପରି ୨୦୧୭ ମସିହାରେ ବର୍ଷା ଯୋଗୁଁ ସବୁ ଦୋକାନୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ବାଣ ଫୁଟା କଟକଣା ବେପାରରେ ବିଶେଷ ବାଧା ଦେଇନଥିଲେ ମଧ୍ୟ ଚଳିତ ବର୍ଷ ବର୍ଷା ଯୋଗୁଁ ଦୋକାନୀମାନେ ଏ ପର୍ଯ୍ୟନ୍ତ ତାଙ୍କ ବାଣ ପସରା ଖୋଲି ପାରିନାହାଁନ୍ତି। ବାଣ ବିକ୍ରି ଉପରେ କିଛି ବାରଣ ନଥିଲେ ମଧ୍ୟ କେବଳ ୧୨୫ ଡେସିବିଲ ବାଣ ବିକ୍ରି ଓ ଚାଇନା ବାଣ ବିକ୍ରି ଉପରେ କଟକଣା ରହିଥିବା ଫାୟାର ଅଫିସର୍ ସୂଚନା ଦେଇଛନ୍ତି।
“ବର୍ଷା ସମସ୍ତଙ୍କ ପାଇଁ କାଳ ହେଲାଣି। ଆମେ ଆବେଦନ କରିସାରିଛୁ। ଆଜି ଆମକୁ ଲାଇସେନ୍ସ୍ ମିଳିବ। ଆଉ ଆମେ ବେପାର ବି ଆଜି ଆରମ୍ଭ କରିଥାନ୍ତୁ। ମାତ୍ର ପଡିଆରେ ତ ବର୍ଷା ପାଣିର ବନ୍ୟା। ବେପାର ଆଉ କେମିତି ହେବ ? ଚଳିତ ବର୍ଷ
ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ବାଣ ରହିଛି। ବାଣ ସବୁ ଶିବକାଶିରୁ ଆସେ। ଏଠାରେ କିଛି ହୋଲସେଲର ମାଧ୍ୟମରେ ଆମେ ବାଣ ଆଣୁ। କିନ୍ତୁ ଏ ବର୍ଷା ସମସ୍ତଙ୍କୁ କାଳ କରି ସାରିଲାଣି” ବୋଲି ବାଲେଶ୍ବର ଫାୟାର କ୍ରାକର୍ ଆସୋସିଏସନର ସମ୍ପାଦକ ସୂର୍ଯ୍ୟ ଚନ୍ଦ୍ର ସେନ କହିଛନ୍ତି।
“ଏଥର ବି ବେପାର ମାନ୍ଦା ହେବ ଲାଗୁଛି। ଆଜି ଆମେ ସମସ୍ତେ ବାଣ ଦୋକାନ ଖୋଲିଥାନ୍ତୁ। ମାତ୍ର ଗତକାଲି ଠୁ ବର୍ଷା ଯୋଗୁଁ ବେକାର ହୋଇଗଲା। ବାଣ ବିକ୍ରିରେ ପ୍ରତିବର୍ଷ କିଛି ନା କିଛି ସମସ୍ୟା ଦେଖାଦେଉଛି।
ଫଳରେ ଯେତିକି ବେପାର ପାଇଁ ଭାବୁଛୁ ସେତିକି ହୋଇପାରୁନି। ଚଳିତ ବର୍ଷ ନୂଆ ବାଣ ବି ଆସିଥିଲା। ମୁଁ ପୁରୁଣା ଷ୍ଟାଡିୟମରେ ଦୁଇଟି ଷ୍ଟଲରେ ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଆଣିଛି। କିନ୍ତୁ ଏବେ ବର୍ଷା ନେଇ ଚିନ୍ତା ଲାଗୁଛି” ବୋଲି କହିଛନ୍ତି ବାଣ ବ୍ୟବସାୟୀ ସଞ୍ଜୟ ବାରିକ।