ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଓକିଲ ସଂଘର ସଦସ୍ୟ ତଥା ଆଇନଜିବୀ ପ୍ରମୋଦ କୁମାର ନାହକ ନିମଖଣ୍ଡି ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଆଇନଜିବୀ ଓ ତାଙ୍କ ପତ୍ନୀଙ୍କୁ ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଫାଣ୍ଡି ଭିତରେ ଦୁର୍ବ୍ୟବହାର କରିଥିବା ନେଇ ଆଇନଜିବୀ ପ୍ରମୋଦ, ତାଙ୍କ ପତ୍ନୀ ଓ ବରିଷ୍ଠ ଆଇନଜିବୀ ଶ୍ରୀହର୍ଷ ପ୍ରସାଦ ଦାଶ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଫାଣ୍ଡି ଅଧିକାରୀଙ୍କ ନାମରେ ୧ ସି.ସି.ରେ ମାମଲା ରୁଜ୍ଜୁ କରାଯାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫-ଟି ସଚିବ ଏବଂ ଡ଼ିଜିପିଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଡ଼ିଆଇଜିଙ୍କ ସମେତ ଗଞ୍ଜାମ ଜିଲ୍ଲା ଓକିଲ ସଂଘକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ ବୋଲି ଜଣାଇଛନ୍ତି ।
ଗତ ମାର୍ଚ୍ଚ ୨୩ ତାରିଖରେ ଆଇନଜିବୀ ଏବଂ ତାଙ୍କ ପତ୍ନୀ ଘରେ ନଥିବା ବେଳେ ଘରୁ ପ୍ରାୟ ୨୦ ତୋଳା ସୁନା ଅଳଙ୍କାର ସହ ଅଢ଼େଇ ଲକ୍ଷ ଟଙ୍କା ଚୋରୀ ହୋଇଥିଲା । ଏ ସଂକ୍ରାନ୍ତରେ ସେ ସଦର ଥାନାରେ ଅଭିଯୋଗ କରିଥିଲେ । ଆଇନଜିବୀଙ୍କ ପଡ଼ୋଶୀ ଚନ୍ଦନ ଡ଼ାକୁଆ ନାମକ ଜଣେ ବ୍ୟକ୍ତିଙ୍କୁ ନେଇ ପୋଲିସ ପଚରା ଉଚରା କରିଥିଲା । ଜୁଲାଇ ମାସରେ ଆଇନଜିବୀ ପ୍ରମୋଦ କେତେକ ଯୁବକଙ୍କୁ ହାତ କରି ଚନ୍ଦନକୁ ଅପହରଣ କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଆଇନଜିବୀଙ୍କ ନାମରେ ଏତଲା ମଧ୍ୟ ହୋଇଥିଲା । ପ୍ରମୋଦ ଜୁଲାଇ ୨୬ ରେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ଅଗଷ୍ଟ ୧ ରେ ସଦର ଥାନାକୁ ଯାଇ ହାଜର ହୋଇଥିବା ବେଳେ ତଦନ୍ତ ଅଧିକାରୀ ଏସଆଇ ଜ୍ୟୋତିରଞ୍ଜନ ତାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି ପ୍ରମୋଦ ।ଅନ୍ୟପକ୍ଷରେ ଏନେଇ ଫାଣ୍ଡି ଅଧିକାରୀ ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବପର ହୋଇନାହିଁ ।