-
ମିଶନ ଫର ସେଣ୍ଟ୍ରାଲ ୟୁନିଭରସିଟି ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ମିଶନ ଫର ସେଣ୍ଟ୍ରାଲ ୟୁନିଭରସିଟି ପକ୍ଷରୁ ପୁରୀରେ ଏକ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ବିଗତ ଦିନ ମାନଙ୍କରେ ଦାବି କରାଯାଇଥିଲା | ଏହାପ୍ରତି ଦିନକୁ ଦିନ ବିଭିନ୍ନ ମହଲରେ ମଧ୍ୟ ସମର୍ଥନ ମିଳୁଥିଲା । କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପୁରୀ ଗସ୍ତରେ ଆସିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମିଶନ ଫର ସେଣ୍ଟ୍ରାଲ ୟୁନିଭର୍ସିଟି ପୁରୀ ପକ୍ଷରୁ ସ୍ୱାଗତ କରିବା ସହ ପୁରୀରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଶିକ୍ଷାମନ୍ତ୍ରୀ ପ୍ରଧାନଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିକୁ ଦାବିପତ୍ର ପ୍ରଦାନ କରାଯାଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ପୁରୀରେ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ବିଶ୍ୱ ଦରବାରରେ ଏହାର ସୁନାମ ଅର୍ଜନ ହୋଇପାରିବ । ଦେଶର ବିଭିନ୍ନ ସ୍ଥାନରୁ ମେଧାବୀ ଛାତ୍ରଛାତ୍ରୀମାନେ ପୁରୀରେ ରହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିପାରିବେ । ଶ୍ରୀକ୍ଷେତ୍ର ଦେଶର ଅଧ୍ୟାତ୍ମିକ ରାଜଧାନୀ, ପୌରାଣିକ, ଦାର୍ଶନିକ ଐତିହାସିକ ଏବଂ ଭୌଗଳିକ ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତାହା ସର୍ବୋକୃଷ୍ଟ ।
ତେଣୁ ଏଠାରେ କେନ୍ଦ୍ରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ତାହାକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିପାରିବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଉପସ୍ଥିତିରେ ମିଶନ ପର ସେଣ୍ଟ୍ରାଲ ୟୁନିଭରସିଟି ପୁରୀର ଆବାହକ ପ୍ରଦ୍ୟୁମ୍ନ ମିଶ୍ର, ସଂଯୋଜକ ସଂଗ୍ରାମ ଦାସ, ଉତ୍କଳ ବିଦ୍ୱତ୍ ପରିଷଦର ସଭାପତି ମନୋଜ ରଥ, ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ, ପୁରୀ ପୁସ୍ତକମେଳା କମିଟି ସଭାପତି ଅନାମଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ମିଶ୍ର, କବିରାଜ ପ୍ରଧାନ, ଅଭିନନ୍ଦନିକାର ସଂପାଦକ ଶ୍ୟାମପ୍ରକାଶ ସେନାପତି, ଚୌଧୁରୀ ପାର୍ଥସାରଥୀ ମହାପାତ୍ର, ଦେବାଶିଷ ମିଶ୍ର, ଶିକ୍ଷୟିତ୍ରୀ ରୀନା ରାୟ, ସହେଲି ଘୋଷ, ରାଜକୁମାରୀ କୁଣ୍ଡୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ଏହା ସହ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ଚିତ୍ତରଞ୍ଜନ ବିଶ୍ୱାଳ, ନବକେତନ ମହାନ୍ତି, ଅଭୟ ସ୍ୱାଇଁ ପ୍ରମୁଖ ପୁରୀରେ ସେଣ୍ଟ୍ରାଲ ୟୁନିଭରସିଟି ସ୍ଥାପନ ପାଇଁ ଜୋରଦାର ସମର୍ଥନ ଉପସ୍ଥାପନ କରିଥିଲେ ।