ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ନିମନ୍ତେ ପୂରୀ ବିକାଶ ପରିଷଦ ଦାବି କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରି ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ସଂପର୍କରେ ପରିଷଦ କର୍ମକର୍ତ୍ତା ମାନେ ଆଜି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ପୂରୀ ସ୍ବତନ୍ତ୍ର ସର୍କିଟରେ ଆଲୋଚନା କରିଛନ୍ତି। ଦାବିପତ୍ରରେ କୁହାଯାଇଛି ଯେ ପୂରୀ ଏବଂ କୋଣାର୍କ ଭାରତ ବର୍ଷର ଦୁଇଟି ପ୍ରମୁଖ ପର୍ଯଟନ କେନ୍ଦ୍ର। ପ୍ରତ୍ୟେକ ଦିନ ହଜାର ହାଜର ପର୍ଯ୍ୟଟକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମେତ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାକୁ ଆସୁଛନ୍ତି। ପୁରୀକୁ ବିଶ୍ଵ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୁରୀ ନିକଟସ୍ଥ ସିପସରୁବାଲି ରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ।
ପୁରୀ କୋଣାର୍କ ମଧ୍ୟରେ ପର୍ଯଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପୁରୀ – କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିଲେ। ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ସର୍ଭେ କାର୍ଯ ଶେଷ ହୋଇଛି। ଏହି ଦୁଇଟି ପର୍ଯଟନ ସହର ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ଆବଶ୍ୟକ ରହିଛି। ଏହି ପ୍ରକଳ୍ପ ପାଇ ରାଜ୍ୟ ସରକାର୍ ୫୦% ଖର୍ଚ୍ଚ ବହନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଏପ୍ରିଲ ୨୯ ତାରିଖରେ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ। ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ନିର୍ମାଣ କରାଗଲେ ପର୍ଯଟନ ଶିଳ୍ପର ଅଭିବୃଦ୍ଧି ହେବ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଅତ୍ୟନ୍ତ ଉପଯୋଗୀ ଏବଂ ଲାଭଦାୟକ ହେବ। ତେଣୁ ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପ୍ରସ୍ତାବ ଯଥାଶୀଘ୍ର ଅନୁମୋଦନ କରାଯିବା ସହ ୨୫୦ କୋଟି ଟଙ୍କା ମଞ୍ଜୁର କରାଯିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଯାତାୟାତ ପାଇଁ ପୁରୀରୁ କୋଣାର୍କ ମଧ୍ୟରେ ରେଳଗାଡି ଚଳାଚଳ ଜରୁରୀ ଆବଶ୍ୟକ ରହିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ଆଲୋଚନା ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଙ୍କ ସମେତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପରିଷଦ ସମ୍ପାଦକ ଦିଲୀପ କୁମାର ଓଝା, ଉପ ସଭାପତି ସୁକାନ୍ତ ପଣ୍ଡା, ରାଧେଶ୍ୟାମ ରଥ, ସଂଗଠନ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ଏବଂ ପ୍ରାନ୍ତସିନି ଜେନା ଉପସ୍ଥିତ ଥିଲେ।